
ଇସ୍ଲାମାବାଦ : ଘୋର ଆର୍ଥିକ ସଙ୍କଟ ସହ ବନ୍ୟାରେ ଆକୁଳ ବ୍ୟାକୁଳ ହେଉଛି ପାକିସ୍ତାନ । ପାକିସ୍ତାନରେ ଭୟଙ୍କର ବନ୍ୟା ଏବେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ପାଇଛି । ଏବେ ଭାରତରୁ ଖାଦ୍ୟ ସାମଗ୍ରୀ ମଗେଇବାକୁ ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ସରକାର ।
ଭାରତ ସରକାର ଗତ ୨୦୧୯ ଅଗଷ୍ଟରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପ୍ରତିବାଦରେ ଭାରତ ସହ ବାଣିଜ୍ୟ କାରବାର ବନ୍ଦ କରିଥିଲା ପାକିସ୍ତାନ । ମାତ୍ର ଭାରତରୁ ବିଭିନ୍ନ ସାମଗ୍ରୀ ଆମଦାନୀ ବନ୍ଦ କରିବା ପରେ ଅନ୍ୟ ଦେଶରୁ ଆମଦାନୀ କରିବା ମହଙ୍ଗା ପଡ଼ିଥିଲା । ଏଥିପାଇଁ ପାକିସ୍ତାନରେ ବିଭିନ୍ନ ସାମଗ୍ରୀର ଦର ହୁ ହୁ ହୋଇ ବଢିଚାଲିଥିଲା । ପୁଣି ଏବେ ଭୟଙ୍କର ବନ୍ୟା ହେବା ପରେ ପାକିସ୍ତାନର ସ୍ଥିତି ଆହୁରି ସାଂଘାତିକ ହୋଇଯାଇଛି । ଏଥିପାଇଁ ପାକିସ୍ତାନରେ ଆଳୁ, ଟମୋଟୋ, ପିଆଜ ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଯାଇଛି । ଏହା ଫଳରେ ପାକିସ୍ତାନ ସରକାର ବାଧ୍ୟ ହୋଇ ଭାରତ ସହ ବାଣିଜ୍ୟ ସଂପର୍କ ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ପାକିସ୍ତାନର ଅର୍ଥମନ୍ତ୍ରୀ ମିଫତା ଇସମାଇଲ ଭାରତ ସହ ବାଣିଜ୍ୟ ପଥ ଖୋଲିବା ବିଷୟରେ ଘୋଷଣା କରିଛନ୍ତି । ବନ୍ୟା ଓ ଖାଦ୍ୟ ଦରବୃଦ୍ଧି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ପାକିସ୍ତାନରେ ବନ୍ୟା ଯୋଗୁଁ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି, ପ୍ରାୟ ୩ କୋଟି ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।