ଅମାନିଆଙ୍କ ଚାଲାକି ବନ୍ଦ, ଆଇଡି ବଦଳରେ ଦେଖାଇବାକୁ ହେବ କମ୍ପାନୀ ଲେଟର

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: କରୋନା  ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ଏହି ଲକଡ଼ାଉନରେ କେବଳ ଜରୁରୀ ସେବାକୁ ଛାଡି ଅନ୍ୟ ସବୁକୁ ବନ୍ଦ କରାଯାଇଛି । କିଛି ଅମାନିଆ ନିଜ କମ୍ପାନୀ ଆଇଡିକୁ ଦେଖାଇ ଏଣେ ତେଣେ ବୁଲିବାରେ ଲାଗିଛନ୍ତି । ଏପରିକି ଚେକିଂ ବେଳେ ନିଜର ଆଇଡି କାର୍ଡ ଦେଖାଇ ଖସି ଯାଉଛନ୍ତି । ଯାହାଫଳରେ ମହାମାରୀ କୋରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଇ କାର୍ଡ ବଦଳରେ ଦେଖେଇବା ପାଇଁ ପଡ଼ିବ ଅଫିସିଆଲ ଲେଟର । ତେବେ ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଘରୋଇ ସଂସ୍ଥା ନିଜର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍‌ ଚାଳାଉଛନ୍ତିି । ଲକଡାଉନରେ ଅଫିସ ଯାଉଥିବା ବେସରକାରୀ କର୍ମଚାରୀମାନେ ନିଜ ଆଇଡି କାଡ଼କୁ ଦେଖାଇ ଏଣେତେଣେ ବୁଲୁଥିବାର ଚିତ୍ର ସାମ୍ନାକୁ ଆସୁଛି । ତେଣୁ ସେମାନଙ୍କ ପ୍ରତି କଠୋର  କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ ପ୍ରଶାସନ । ଏଣିକି ଯେଉଁ ବେସରକାରୀ ସଂସ୍ଥା ଗୁଡିକର ଲକଡାଉନ ସମୟରେ ଅଫିସ ଖୋଲା ରହିଛି, ସେମାନଙ୍କ ଅଫିସ ଠିକଣା, କେତେଜଣ କର୍ମଚାରୀ ଲକଡାଉନ ସମୟରେ ଅଫିସ ଯାଉଛନ୍ତି, ସେମାନେ କେଉଁଠୁ କେଉଁ ପର୍ଯ୍ୟନ୍ତ ଯିବେ ? ସେ ସବୁର ତାଲିକା ଡିସିପିଙ୍କ ପାଖରେ ଦାଖଲ କରିବାକୁ ପ୍ରେତ୍ୟେକ ବେସରକାରୀ ଅଫିସର ମୁଖ୍ୟଙ୍କୁ କୁହାଯାଇଛି । ତାଲିକାରେ ଯାହାର ନାମ ନଥିବ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତାଲିକାରେ ଯାହା ନାମ ଥିବ ସେ ହିଁ କେବଳ ଅଫିସ ଯାଇ ପାରିବ । ଅନ୍ୟମାନେ ଗଲେ ଜୋରିମାନା ଦେବା ସହ ସେମାନଙ୍କ ଗାଡ଼ିକୁ ଜବତ କରାଯିବ। ଲକଡାଉନ ପାଇଁ କାହାକୁ ପୋଲିସ ପକ୍ଷରୁ ପାସ୍‌ ଦିଆ ଯାଇନାହିଁ । ଯେଉଁମାନଙ୍କୁ ସରକାର ଅନୁମତି ଦେଇଛନ୍ତି ଅଫିସ ଖୋଲିବାକୁ ସେମାନେ ଆଇଡି କାର୍ଡ ଦେଖାଇ ଯିବା ଆସିବା କରି ପାରିବେ ।    ଅନ୍ୟପଟେ ଲକଡାଉନ୍‌ ସମୟରେ ଆଇଟି ସଂସ୍ଥାରେ ୫୦% ପ୍ରତିଶତ କର୍ମଚାରୀ, କର୍ପୋରେଟ୍‌ ସଂସ୍ଥା ଓ ଶିଳ୍ପସଂସ୍ଥା ଗୁଡ଼ିକୁ ୩୦ ପ୍ରତିଶତ କର୍ମଚାରୀ ଏବଂ ବିଭିନ୍ନ ଘରୋଇ ସଂସ୍ଥା ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି ।

Related Posts