ଆଜି ଦିନରେ ଦେଶରେ ୯ ଲକ୍ଷ କୋଭିଡ଼ ପେସେଣ୍ଟଙ୍କୁ ଲାଗିଛି ଅକ୍ସିଜେନ୍ : ହର୍ଷ ଵର୍ଦ୍ଧନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସାରା ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଶନିବାର କହିଛନ୍ତି ଯେ 1.34% ରୋଗୀ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଅଛନ୍ତି ଏବଂ ଭେଣ୍ଟିଲେଟରରେ 0.39% ଅଛନ୍ତି।  କୋଭିଡ -19 ରୋଗୀଙ୍କ ମଧ୍ୟରୁ ପ୍ରାୟ 3.70%  ରୋଗୀଙ୍କୁ ଅକ୍ସିଜେନ ସପୋର୍ଟ ମିଳିଥିବା ସରକାରଙ୍କ ତଥ୍ୟରୁ ଜଣାପଡିଛି। ମହାମାରୀର ସ୍ଥିତିକୁ ନେଇ ଗ୍ରୁପ୍ ଅଫ୍ ମିନିଷ୍ଟର (GoM)ର 25 ତମ ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ ପ୍ରାୟ 500,000 ରୋଗୀଙ୍କୁ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ, 170,000 ରୁ ଅଧିକ ରୋଗୀଙ୍କୁ ଭେଣ୍ଟିଲେଟର ସପୋର୍ଟ ଏବଂ 900,000 କୋଭିଡ୍ ରୋଗୀଙ୍କୁ ଅମ୍ଳଜାନ ସପୋର୍ଟ ମିଳିଛି। ଦେଶରେ ଗତ ଚାରି ଦିନ ଧରି ୪ ଲକ୍ଷ ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଏପ୍ରିଲ 9 ସୁଦ୍ଧା ଦିନକୁ 150,000 ଟେଷ୍ଟିଂ କରାଯାଉଥିବା ବେଳେ ଏବେ ଏହାକୁ ବୃଦ୍ଧି କରି 250,000 କରାଯାଇଛି। ହର୍ଷବର୍ଦ୍ଧନ କହିଛନ୍ତି ଯେ, “ଆମର ଟେଷ୍ଟିଂ କ୍ଷମତା ଦିନକୁ 15 ଲକ୍ଷରୁ (ଏପ୍ରିଲ 9 ) 25 ଲକ୍ଷକୁ ବୃଦ୍ଧି କରାଯାଇଛି। ” ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ପ୍ରଥମ ଡୋଜ ଟିକା ନେଇଥିବା ଲୋକ ଓ ଦ୍ଵିତୀୟ ଡୋଜ ଟିକା ନେଇଥିବା ଲୋକଙ୍କ ମଧ୍ୟରେ ଏକ ବହୁତ୍ ବଡ ତଫାତ୍ ରହିଛି। ରାଜ୍ୟ ଓ କେନ୍ଦ୍ର ସରକାର ଦ୍ୱିତୀୟ ଡୋଜ ଟିକା ନେବାକୁ ଲୋକମାନଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି।  ଦ୍ୱିତୀୟ ଡୋଜ ପାଇଁ କେନ୍ଦ୍ର ଦେଇଥିବା ଟିକାକୁ 70:30 ଅନୁପାତରେ ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି ବୋଲି ସେ କହିଛନ୍ତି। ଏହି ବୈଠକରେ ସଡ଼କ ପରିବହନ ସଚିବ କହିଛନ୍ତି ଯେ ଅମ୍ଳଜାନର ଦୈନିକ ଘରୋଇ ଉତ୍ପାଦନ କ୍ଷମତା  ଗତ ବର୍ଷ ଅଗଷ୍ଟରେ 5,700MT ଥିବାବେଳେ ଏବେ ଏହା 9,400 MT ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

Related Posts