ବିହାରରେ ବିଜେପି ସରକାର ଭାଙ୍ଗିଯିବା ପରେ ଅମିତ ଶାହା ବିଳିବିଳାଉଛନ୍ତି: ଲାଲୁ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବେ ବିହାର ଗସ୍ତରେ ଅଛନ୍ତି । ଏହି ସମୟରେ ସେ ବିହାରର ମେଣ୍ଟ ସରକାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏହାକୁ ନେଇ ଏବେ ରାଜଧାନୀ ଦିଲ୍ଲୀରେ ଥିବା ଲାଲୁ ପ୍ରସାଦ ଯାଦବ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ବିହାରରେ ବିଜେପି ସରକାର ଭାଙ୍ଗିଯିବା ପରେ ଅମିତ ଶାହା ବିଳିବିଳାଉଛନ୍ତି ।

ଲାଲୁ ଆହୁରି ମଧ୍ୟ କହିଛନ୍ତି ଯେ, ଶାହା ଏବେ ଚିନ୍ତାରେ ଅଛନ୍ତି କାରଣ ବିହାରରେ ତାଙ୍କ ସରକାର ସଫା ହୋଇଯାଇଛି । ୨୦୨୪ରେ ବି ସମାନ ପରିସ୍ଥିତି ହେବ । ସେଥିପାଇଁ ସେ ଏଣେତେଣେ ଦୌଡୁଛନ୍ତି ଆଉ କହୁଛନ୍ତି ‘ଜଙ୍ଗଲ ରାଜ’ । ଗୁଜରାଟରେ ରହି ସେ କ’ଣ କରୁଥିଲେ ବୋଲି ଲାଲୁ ପ୍ରଶ୍ନ କରିଛନ୍ତି । ଲାଲୁ କହିଛନ୍ତି ଗୁଜରାଟରେ ଯେବେ ଭାଜପା ଥିଲା ସେତେବେଳେ ଜଙ୍ଗଲ ରାଜ ଥିଲା । ୨୦୨୪ ନିର୍ବାଚନକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଲାଲୁ କହିଛନ୍ତି, ହଁ ୨୦୨୪ରେ ଆମେ ମୋଦି ସରକାରଙ୍କୁ ଓପାଡି ଫୋପାଡି ଦେବୁ । ତେବେ ମୋତେ ଏହି କଥା କେତେଥର କହିବାକୁ ପଡିବ ବୋଲି ପାଲଟା ପ୍ରଶ୍ନ କରିଥିଲେ ଲାଲୁ ।

ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ବିହାରରେ ହୋଇଥିବା ଏକ ରାଲିରେ ସମ୍ବୋଧନ ଦେବା ଅବସରରେ ଶାହା କହିଥିଲେ ସ୍ୱାର୍ଥ ପାଇଁ ନୀତୀଶ କୁମାର ଲାଲୁ ଯାଦବଙ୍କ କୋଳରେ ବସିଛନ୍ତି । ଆହୁରି ମଧ୍ୟ କହିଥିଲେ ମୋର ବିହାର ଗସ୍ତକୁ ଦେଖି ଲାଲୁ-ନୀତୀଶଙ୍କ ପେଟରେ ଯନ୍ତ୍ରଣା ହେଉଛି । ଏହି ସମୟରେ ସେ ବିହାରର ଆଇନ ବ୍ୟବସ୍ଥ।।କୁ ନେଇ ବି ପ୍ରଶ୍ନ ଉଠାଇଥିଲେ ।

Related Posts