ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ୨୭ରୁ ଆରମ୍ଭ ହୋଇଯିବ ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ନିୟମିତ ଭାବେ ଲଘୁଚାପ ଦାନା ବନ୍ଧୁଥିବା ବେଳେ, ପୁଣି ଏକ ପାଣିପାଗ ସିଷ୍ଟମ ସୃଷ୍ଟି ହେବାର ଲକ୍ଷଣ ଦେଖାଗଲାଣି । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ସେପ୍ଟେମ୍ବର ୨୫ ବେଳକୁ ଉତ୍ତର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଟ୍ରଫ୍ ଲାଇନ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ସେପ୍ଟେମ୍ବର ୨୬ରେ ଏହା ଏକ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି ଓ ସେପ୍ଟେମ୍ବର ୨୭ ବେଳକୁ ଏହା ଆହୁରି ଚିହ୍ନିତ ହୋଇ ଲଘୁଚାପରେ ପରିଣତ ହୋଇପାରେ । ଏହି ସମୟ ବେଳକୁ ଏହା ଉପକୂଳର ନିକଟତର ହୋଇଥିବ ।

ସେପ୍ଟେମ୍ବର ୨୮ରେ ଏହାର କିଛି ଅଂଶ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ଥିବ ଓ ଅବଶିଷ୍ଟ ଅଂଶ ବଙ୍ଗୋପସାଗରରେ ଥିବ ।

କେବଳ ଏତିକି ନୁହେଁ, ଏହି ଲଘୁଚାପ ପଛକୁ ଆଉ ଏକ ଲଘୁଚାପ କ୍ଷେତ୍ର ଯୋଗ ଦେବାର ସମ୍ଭାବନା ରହିଛି । ୨୯ ତାରିଖ ବେଳକୁ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ଏସିଆ ଅତିକ୍ରମ କରି ବଙ୍ଗୋପସାଗରରେ ପ୍ରବେଶ କରିସାରିଥିବ ।

Related Posts