ଭଞ୍ଜନଗର: ସାରା ଦେଶର ୧୫୧ ଜଣ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀଙ୍କ ତାଲିକା ପ୍ରକାଶ ପାଇଛି । ତେବେ ଏହି ତାଲିକାରେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସ୍ଥାନ ପାଇଛନ୍ତି l ଜାତୀୟ ସ୍ତରରେ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବରେ ୧୫୧ ଜଣ ରହିଥିବା ବେଳେ ଓଡିଶାର ୪ ଜଣ ଥାନା ଅଧିକାରୀ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ରହିଛନ୍ତି l ଏକ ବର୍ଷ ମଧ୍ୟରେ ବହୁ ଚର୍ଚ୍ଚିତ ସୋରଡ଼ା ଥାନା ଅନ୍ତର୍ଗତ ବଜ୍ରଗୁମା ଗ୍ରାମ ନିକଟରେ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୁହଁ ପୋଡି ବିକୃତ କରି ପରିଚୟ ନଷ୍ଟ କରିଦେଇଥିଲା ଅଭିଯୁକ୍ତ l
ପରବର୍ତ୍ତୀ ସମୟରେ ଘଟଣାର ପର୍ଦ୍ଦାଫାଶ କରିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ । ଅନ୍ୟ ଏକ ହତ୍ୟା ଘଟଣା ନୂଆଗଡ ଗ୍ରାମ ନିକଟରେ ଋଷିକୂଲ୍ୟା ନଦୀବାଲିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ମୁଣ୍ଡ ଓ ଶରୀରକୁ ଅଲଗା କରି ପୋତି ଦିଆଯାଇଥିବା ଏକ ଘଟଣାରେ ମଧ୍ୟ ସୋରଡ଼ା ଥାନା ପୋଲିସକୁ ସଫଳତା ମିଳିବା ସହ ଅଭିଯୁକ୍ତ ଗିରଫ ହୋଇଥିଲା l ଏହିପରି ଅନେକ ଦୃଷ୍ଟାନ୍ତ ମୂଳକ ଅପରାଧର ଖିଅ ଖୋଜି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ଥାନା ଅଧିକାରୀ ରମେଶ ପ୍ରଧାନ ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି l ତେଣୁ ତାଙ୍କୁ ଜାତୀୟ ସ୍ତରରେ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବରେ ଭାରତ ସରକାରଙ୍କ ଗୃହ ବିଭାଗ ତରଫରୁ ମନୋନୀତ କରାଯାଇଛି l ତେବେ ଏହି ସଫଳତା ପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି l
