
ପୁରୀ : ପୁରୀରେ ଅଘଟଣ । ମାର୍କେଟ ଛକ ନିକଟ ମୁକୁଳା ଡ୍ରେନ୍ରେ ପଡ଼ି ଜଣେ ରିକ୍ସା ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଚନ୍ଦନପୁର ଥାନା ଅଞ୍ଚଳର ଗେଡା ସାହୁ ।
ତେବେ ଏନେଇ ଖବର ପାଇବା ପରେ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ବଡ଼ଦାଣ୍ଡ ଓ ସହରର ବିଭିନ୍ନ ଗଳିକନ୍ଦିରେ ଅନେକ ଡ୍ରେନ୍ ମୁକୁଳା ଥିବାରୁ ପ୍ରତିଦିନ ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେପଟେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୈାର ସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ।
ଗତକାଲି ବିଳମ୍ବିତ ରାତିରେ ଏହି ବ୍ୟକ୍ତି ଜଣକ ମୁକୁଳା ଡ୍ରେନ ଭିତରେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଡ୍ରେନ କଡରେ ମୃତକଙ୍କ ରିକ୍ସା ଥିବା ବେଳେ ସେଠାରେ ଏକ ମଦ ବୋତଲ ପଡିଥିବା ଦେଖିବାକୁ ମିଳିଛି। ନିଶାସକ୍ତ ଅବସ୍ଥାରେ ଡ୍ରେନ ଭିତରେ ପଡି ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେବେ ପୈାର ସଂସ୍ଥାର ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁ ପ୍ରତିଦିନ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି।
ପୁରୀ ସହରରେ ସମସ୍ୟା ଅନେକ ଥିଲେ ମଧ୍ୟ ପ୍ରମୁଖ ହେଉଛି ପରିମଳ ବ୍ୟବସ୍ଥା। କେଉଁଠି ଡ୍ରେନ୍ ଉପରେ ସ୍ଲାବ ନାହିଁ ତ କେଉଁଠି ବର୍ଷ ବର୍ଷ ଧରି ଡ୍ରେନ ମରାମତି ଓ ସଫେଇ କରାଯାଉନାହିଁ। ଏନେଇ ବାରମ୍ବାର ପୈାର ସଂସ୍ଥା ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ କୈାଣସି ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ପୁରୀ ସହରର ମୁଖ୍ୟ ପ୍ରବେଶ ପଥ ମେଡିକାଲ ଛକରେ ନର୍ଦ୍ଦମା ପାଣି ଭାସୁଥିବା ବେଳେ, ସିଦ୍ଧ ମହାବୀର, ଭିଆଇପି ରୋଡ, ରେଡକ୍ରସ ରୋଡ ଭଳି ଅନେକ ସ୍ଥାନରେ ଡ୍ରେନ୍ ମୁକୁଳା ହୋଇ ପଡି ରହିଛି। ବର୍ଷ ସାରା ପୈାର ସଂସ୍ଥା ଅଧିକାରୀ ଓ କର୍ମଚାରୀ ମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ରଥଯାତ୍ରା ପାଖେଇ ଆସିଲେ ଡ୍ରେନ ମରାମତି, ସଫେଇ ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏମାନଙ୍କର ନିଦ ଭାଙ୍ଗିଯାଏ।