ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ କୃଷି ଅଧିକାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ। ବିନା ଲାଇସେନ୍ସରେ ସାର ଦୋକାନ ଖୋଲିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ପ୍ରଣୟଙ୍କୁ ଧରିଛି ଭିଜିଲାନ୍ସ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ପ୍ରଣୟଙ୍କୁ ଗିରଫ କରି ପଚରାଉଚରା କରୁଛି।ଏହାସହ ଭିଜିଲାନ୍ସ ପ୍ରଣୟଙ୍କ ଭୁବନେଶ୍ୱରର ଶୈଳଶ୍ରୀ ବିହାର ସ୍ଥିତ ଘର, କଟକ ତିନିଘରିଆରେ ଥିବା ପୈତୃକ ଘର ଓ ପାଇକମାଳରେ ଥିବା ସରକାରୀ ବାସଭବନରେ ଚଢ଼ାଉ କରିଛି।

ସୂଚନା ଅନୁସାରେ, ପାଇକମାଳରେ ଜଣେ ଦୋକାନୀ ଉଚ୍ଚା ଦରରେ ସାର ବିକ୍ରି କରୁଥିଲେ। କୃଷି ବିଭାଗର ଅଧିକାରୀମାନେ ଖବର ପାଇ ତାଙ୍କ ଦୋକାନରେ ଚଢ଼ାଉ କରିଥିଲେ। ଏହାସହ ସାର ଦୋକାନର ଲାଇଲେନ୍ସକୁ ସିଜ୍‌ କରିଥିଲେ। ପରେ ଦୋକାନୀ ଜଣଙ୍କ ଲାଇସେନ୍ସ ରିନ୍ୟୁ କରିବା ପାଇଁ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କ ପାଖକୁ ଯାଇଥିଲେ। ତେବେ ପ୍ରଣୟ ସେଠାରେ ଦୋକାନୀଙ୍କୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।ଏହାପରେ ଦୋକାନୀ ଜଣକ ଏ ସଂପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ଲାଞ୍ଚ ଟଙ୍କା ଦେବା ପାଇଁ ସାର ଦୋକାନୀ ଜଣଙ୍କ ଆଜି ପାଇକମାଳ ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ସେଠାରେ ପ୍ରଣୟ କୁମାର ମନ୍ତ୍ରୀ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ଭିଜିଲାନ୍ସ ଟିମ୍‌ ଏହି ଚଢାଉରେ ସାମିଲ ହୋଇଥିଲେ।

Related Posts