କୋଭିଡ କଟକଣା ମଧ୍ୟରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ; ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ପ୍ୟାରେଡ ମନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋଭିଡ କଟକଣା ମଧ୍ୟରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେବ। ଏନେଇ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏଥର ଅଗଷ୍ଟ ୧୫ରେ ଯେଉଁ ରାଜ୍ୟସ୍ତରୀୟ ପରେଡ୍ ହେବ ସେଥିରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଭାଗ ନେବେନାହିଁ। କେବଳ ୩ଟି କଣ୍ଟିଜେଣ୍ଟ ଏହି ପରେଡରେ ସାମିଲ ହେବେ। ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡରେ ସାମିଲ ହେବେ। ଏଥିପାଇଁ ୩ଦିନ ହେବ ପ୍ରାକ୍ଟିସ୍ । ପ୍ରଦର୍ଶନୀ ପଡ଼ିଆରେ ୧୧, ୧୨ ଓ ୧୩ ତାରିଖରେ ପ୍ୟାରେଡ ଅଭ୍ୟାସ କରିବେ କଣ୍ଟିଜେଣ୍ଟ।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରିହର୍ସଲ ଦିନ ନିର୍ଦ୍ଧାରିତ ସମୟର ଅଧାଘଣ୍ଟା ପୂର୍ବରୁ କଣ୍ଟିଜେଣ୍ଟ ପହଞ୍ଚିବେ। ଯେଉଁ କଣ୍ଟିଜେଣ୍ଟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କ ଲାଗି କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ। ଫ୍ଲାଗ୍ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ ନେଗେଟିଭ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥର ସ୍ବାଧୀନତା ଦିବସ ସମାରୋହରେ ଜନ ସମାଗମକୁ ମଧ୍ୟ ବାରଣ କରାଯାଇଛି। ଚଳିତଥର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବେ।

Related Posts