ଓଡିଶାରେ ଅମିତ୍ ଶାହାଙ୍କର ପ୍ରଭାବ ପଡିବ ନାହିଁ, “୯ରୁ ୯୦ ମିଶନ” ସହିତ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବ: ଶରଦ ପଟ୍ଟନାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତ ସାରି ଫେରି ଯାଇଛନ୍ତି । ଏହାପରେ ପ୍ରସମିଟ୍ ଜରିଆରେ ପିସିସି ସଭାପତି ଶରଦ ପଟ୍ଟନାୟକ ତାଙ୍କୁ ଟାର୍ଗେଟ କରିଛନ୍ତି। ଶରଦ କହିଛନ୍ତି, ଓଡିଶାରେ ଅମିତ୍ ଶାହାଙ୍କର କୌଣସି ପ୍ରଭାବ ପଡିବ ନାହିଁ । ଓଡିଶାରେ ବିଜେପି ସରକାର ଗଢିବା ନେଇ ଗତକାଲି ଓଡିଶା ଗସ୍ତ ବେଳେ ଅମିତ ଶାହା ଦେଇଥିବା ମନ୍ତବ୍ୟକୁ ନେଇ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି । ସେ କହିଛନ୍ତି, ଅମିତ୍ ଶାହା ଆସି କଣ କହିଲେ ତାକୁ ମୁଁ ଗୁରୁତର ସହ ନେଉନାହିଁ । ଗତଥର ନିର୍ବାଚନ ବେଳେ ସେ କହିଥିଲେ ବିଜେପି ୧୨୦ ସିଟ୍ ଜିତିବ, ହେଲେ କେତେ ଜିତିଲେ? ତେଣୁ ଓଡିଶାରେ ଶାହାଙ୍କ ଫର୍ମୁଲା କାମ କରିବ ନାହିଁ । ଆମେ ୯ରୁ ୯୦ ମିଶନ ନେଇ କାମ କରିବୁ । ଆଗକୁ ରାଜ୍ୟରେ ନିଶ୍ଚୟ କଂଗ୍ରେସ ସରକାର ଗଢିବ।ବୁଥ ସ୍ତରରୁ ସଂଗଠନକୁ ମଜଭୁତ କରିବା ପାଇଁ ଦଳ ପ୍ରୟାସ ଆରମ୍ଭ କରିଛି।

ଆସନ୍ତା ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ଲକ୍ଷରେ ଦଳ ଆଗକୁ ବଢୁଛି ବୋଲି ପିସିସି ସଭାପତି ଶରଦ ପଟ୍ଟନାୟକ କହିଛନ୍ତି।ଓଡିଶାର ଜନସାଧାରଣ ହେଉଛନ୍ତି ହର୍ତ୍ତା, କର୍ତ୍ତା, ଦୈବ ବିଧାତା । ଜନସାଧାରଣ ହିଁ ଉଚିତ୍ ସମୟରେ ଉତିତ୍ ଜବାବ୍ ଦେବେ । ଜନସାଧାରଣଙ୍କ ଆଶୀର୍ବାଦ ନେଇ ଆମେ ଏକା ଲଢିବୁ । ବିଜେପି ଯଦି କହୁଛି ୨୦୨୩ରେ ନିର୍ବାଚନ ହେବ ବୋଲି, ତାହେଲେ ହେଉ ଆମେ ପ୍ରସ୍ତୁତ ରହିଛୁ । ଏପରିକି ଆସନ୍ତା ୬ମାସ ମଧ୍ୟରେ ନିର୍ବାଚନ କଲେ ମଧ୍ୟ କଂଗ୍ରେସ ପ୍ରସ୍ତୁତ ରହିଛି । ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ ଚାଲିଛି । ଯେଉଁମାନେ ଦଳ ଛାଡୁଛନ୍ତି ସେମାନେ ଦଳ ନଛାଡି ଆଲୋଚନା କରନ୍ତୁ । ସମସ୍ତେ ସହଯୋଗ କଲେ କଂଗ୍ରେସ ନିଶ୍ଚୟ ସରକାର ଗଢିବ ବୋଲି ପିସିସି ସଭାପତି ପ୍ରେସମିଟ ରେ କହିଛନ୍ତି।

Related Posts