ଆଫଗାନିସ୍ତାନ ସମସ୍ୟା ଉପରେ ଅଗଷ୍ଟ ୨୬ରେ ସର୍ବଦଳୀୟ ବୈଠକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଆଫଗାନ ପରିସ୍ଥିତିକୁ ନେଇ ଭାରତ ଏବେ ଦ୍ବନ୍ଦ୍ବରେ। ଏହାରି ମଧ୍ୟରେ ଆଫଗାନିସ୍ତାନ ସମସ୍ୟା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକ ଅଗଷ୍ଟ ୨୬ରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ବୈଦେଶିକ ମନ୍ତ୍ରାଳୟ ସଂସଦର ଉଭୟ ଗୃହର ନେତାଙ୍କୁ ସୂଚନା ଦେବ। 

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜନୈତିକ ଦଳର ମୁଖ୍ୟ ନେତାଙ୍କୁ ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସୂଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସେ କହିଛନ୍ତି ଯେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ସମ୍ପର୍କରେ ଅଧିକ ସୂଚନା ଦେବେ। ତେବେ ଭାରତ ଆଫଗାନିସ୍ତାନରୁ ନାଗରିକ ମାନଙ୍କ ଉଦ୍ଧାର କାର୍ଯ୍ୟ ଜୋରଦାର କରିଛି। 

ଅପରପକ୍ଷରେ ଆଜି କାବୁଲ୍‌ରୁ ଆଉ ଦୁଇଟି ବିମାନ ଆସିଲେ ଆଫଗାନିସ୍ତାନରୁ ସ୍ବଦେଶ ଫେରୁଥିବା ଭାରତୀୟଙ୍କ ସଂଖ୍ୟା ୭୦୦ ଅତିକ୍ରମ କରିଯିବ। ଅଗଷ୍ଟ ୧୬ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଭାରତୀୟ ବାୟୁସେନା ଏବଂ ଏୟାର୍‌ ଇଣ୍ଡିଆର ସମୁଦାୟ ୬ଟି ବିମାନ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳେ ୪ଟି ପୃଥକ୍‌ ବିମାନରେ କତାରର ରାଜଧାନୀ ଦୋହାରୁ ଭାରତ ୧୪୬ଜଣ ନାଗରିକଙ୍କୁ ଫେରାଇ ଆଣିଛି। ନିରାପତ୍ତା ପରିସ୍ଥିତିରେ ଅବନତି କାରଣରୁ ସେମାନଙ୍କୁ ‘ନାଟୋ’ ଏବଂ ଆମେରିକୀୟ ବିମାନରେ ଆଫଗାନିସ୍ତାନରୁ ସ୍ଥାନାନ୍ତରଣ କରାଯାଇଥିଲା।

ଅପରପକ୍ଷରେ ଆଫଗାନିସ୍ତାନ ଉପରେ କବଜା ପରେ ତାଲିବାନ ଏବେ ସିଧା ସଳଖ ଭାବରେ ଆମେରିକାକୁ ନାଲି ଆଖି ଦେଖାଇଛି। ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ନିଜର ସୈନିକଙ୍କୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆଫଗାନିସ୍ତାନ ଛାଡିବା କଥା କରିସାରିଛନ୍ତି । ବିଡେନ୍ ନିଜର କଥାରୁ ଓହରିବାର କୌଣସି ଅର୍ଥ ନାହିଁ। ଯଦି ୩୧ ଅଗଷ୍ଟରୁ ଗୋଟେ ଦିନର ମହଲତ ଆମେରିକା ଓ ବ୍ରିଟେନ୍ ମାଗନ୍ତି ତେବେ ଗମ୍ଭୀର ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ବୋଲି ତାଲିବାନ ଖୋଲା ଧମକ ଦେଇଛି ।

Related Posts