୮ ମାସର ଶିଶୁର ଚିକିତ୍ସା ପାଇଁ ଅଲିମ୍ପିକ୍ସ ମେଡାଲ୍ ନିଲାମ କରିଦେଲେ ମହିଳା ଆଥଲେଟ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଅଲିମ୍ପିକ୍ସରେ ପଦକ ଜିତିବା ବୋଧହୁଏ ପ୍ରତ୍ୟେକ ଆଥଲେଟଙ୍କ ଜୀବନର ସବୁଠାରୁ ବଡ଼ ସ୍ୱପ୍ନ, ସେଥିପାଇଁ ସେମାନେ ଦିନରାତି ଏକ କରି କଠିନ ପରିଶ୍ରମ କରିଥାନ୍ତି। ତେବେ ଜଣେ ଆଥଲେଟ୍ ପଦକ ଜିତିବା ପରେ ତାକୁ ବିକ୍ରି କରିଦେଇଛନ୍ତି। ଆଉ ପଦକ ବିକ୍ରି କରି ସେ ପ୍ରଶଂସା ସାଉଁଟିଛନ୍ତି। ଏହି ମହିଳା ଆଥଲେଟ୍ ଜଣକ ହେଉଛନ୍ତି ପଲିସର ମାରିଆ ଆନ୍ଦ୍ରେଜିକ୍ । ସେ ଟୋକିଓ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ’ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। କିନ୍ତୁ ଏବେ ଏକ ଶିଶୁର ଜୀବନ ବଞ୍ଚାଇବାକୁ ଯାଇ ସେ ସେହି ମେଡାଲକୁ ନିଲାମ କରିଦେଇଛନ୍ତି। ମାରିଆ ସୋଶାଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ମାରିଆ ଟୋକିଓ ଅଲିମ୍ପିକ୍ସରେ ୬୪.୬୧ ମିଟର୍ ଜାଭଲିନ୍ ଥ୍ରୋ’ କରି ରୌପ୍ୟ ପଦକ ଜିତିଥିଲେ।

ମିଳିଥିବା ସୂଚନାନୁସାରେ , ଗୁରୁତର ହୃଦରୋଗରେ ଆକ୍ରାନ୍ତ ଥିବା ମିସଲୋଭ ନାମକ ଜଣେ ୮ମାସର ଶିଶୁର ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିବା ପାଇଁ ମାରିଆ ଏହି ନିଷ୍ପତ୍ତି ନେଇଛନ୍ତି। ଶିଶୁଟିର ଜୀବନ ବଞ୍ଚାଇବା ଲାଗି ସର୍ଜରୀର ଆବଶ୍ୟକ, ଯେଉଁଥିରେ ୧ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ। ଏବଂ ଏହି ସର୍ଜରୀ ଆମେରିକାରେ ହିଁ ହୋଇପାରିବ।

ମାରିଆ କହିଛନ୍ତି ଯେ , ଜବକା ନାମକ ଏକ କମ୍ପାନୀ ୧,୨୫୦୦୦ ଡଲାର ସହ ମେଡାଲକୁ ନିଲାମରେ ଜିତି ନେଇଛନ୍ତି। ଏଥିରୁ ସଂଗୃହୀତ ଅର୍ଥ ଦ୍ୱାରା ଶିଶୁକୁ ଷ୍ଟାନଫର୍ଡ ୟୁନିଭର୍ସିଟି ମେଡିକାଲ ସେଣ୍ଟରରେ ସର୍ଜରୀ କରାଇବାରେ ସହାୟକ ହେବ। ତେବେ ନିଲାମରେ ପଦକ ଜିତିଥିବା କମ୍ପାନୀ ପରେ ମାରିଆଙ୍କୁ ତାଙ୍କର ମେଡାଲ୍ ଫେରାଇ ଦେଇଥିଲା ଏବଂ ଟଙ୍କା ମଧ୍ୟ ଫେରସ୍ତ ନେଇ ନଥିଲା।

ମାରିଆ ଫେସବୁକରେ ଏହି ଘୋଷଣା କରିଥିଲେ। ସେ ଲେଖିଥିଲେ, ମୁଁ ଏହା ଉପରେ ବହୁତ ଭାବିଲି। ଏହା ମୋର ପ୍ରଥମ ଫଣ୍ଡରେଜର ଥିଲା ଏବଂ ମୁଁ ଜାଣିଛି ଯେ ଏହା ସଠିକ୍ ନିଷ୍ପତ୍ତି ଥିଲା। ନିଲାମରୁ ମିଳିଥିବା ଅର୍ଥ ଶିଶୁର ମାତାପିତାଙ୍କୁ ଦାନ କରାଯିବ।

ସେ ୨୦୧୬ ରିଓ ଅଲିମ୍ପିକ୍ସରେ ଅଳ୍ପକେ ପଦକରୁ ବଞ୍ଚିତ ରହି ଚତୁର୍ଥରେ ରହିଥିଲେ। ୨୦୧୭ରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା ଏବଂ ୨୦୧୮ରେ ତାଙ୍କ ହାଡ଼ରେ କ୍ୟାନସର୍ ହୋଇଥିବା ଜାଣିବାକୁ ପାଇଥିଲେ। ଏହାସତ୍ତ୍ୱେ ସେ ଖେଳ ଜାରି ରଖିଥିଲେ। ଏବଂ ନିଜ ଦମରେ ଟୋକିଓ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ସେ ନିଜର ରୌପ୍ୟ ପଦକ ଜିତିଛନ୍ତି।

ଆଥଲେଟ୍ କହିଛନ୍ତି, “ପଦକର ପ୍ରକୃତ ମୂଲ୍ୟ ସର୍ବଦା ହୃଦୟରେ ରହିଥାଏ । “ପଦକ କେବଳ ଏକ ବସ୍ତୁ, କିନ୍ତୁ ଏହା ଅନ୍ୟମାନଙ୍କ ପାଇଁ ବହୁତ ମୂଲ୍ୟବାନ ହୋଇପାରେ। ଏହି ରୂପା ଆଲମିରାରେ ରହିଲେ ଧୂଳି ଲାଗିଯିବ, କିନ୍ତୁ କାହାର ଜୀବନ ରକ୍ଷା କରି ପାରିଲେ ପଦକର ଗାରିମା ରହିବ । ସେଥିପାଇଁ ମୁଁ ଅସୁସ୍ଥ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛି। ”

Related Posts