ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜ୍ଞାନବ୍ୟାପୀ ମସଜିଦ୍ ମାମଲାରେ ଆଜି ଆସିବ ଗୁରୁତ୍ବପୂର୍ଣ୍ଣ ରାୟ। ଏହି ରାୟ ଉପରେ ସମସ୍ତଙ୍କର ନଜର ରହିଛି। ଜ୍ଞାନବ୍ୟାପୀ ମସଜିଦ୍‌ ପରିସରରେ ଶୃଙ୍ଗାର ଗୌରିଙ୍କ ନିୟମିତ ପୂଜା ଓ ଦର୍ଶନ ଦାବିରେ ହୋଇଥିବା ଆବେଦନ ଉପରେ କୋର୍ଟ ରାୟ ଦେବେ। ବାରଣାସୀର ଜିଲ୍ଲା ଜଜ୍ ଅଜୟ କୃଷ୍ଣ ବିଶ୍ବେଶଙ୍କ ଖଣ୍ଡପୀଠ ଏହି ରାୟ ନେବେ ଯେ, ମାମଲା ଚାଲିବାକୁ ଯୋଗ୍ୟ କି ନାହିଁ।ଏହାକୁ ଦେଖି କୋର୍ଟର ସୁରକ୍ଷା ବଢାଇ ଦିଆଯାଇଛି। କୋର୍ଟ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଛି। ବାରଣାସୀ ଏସିପି ସନ୍ତୋଷ କୁମାର ସିଂହ କହିଛନ୍ତି, ବାରଣାସୀରେ ୨୦୦୦ ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ପ୍ରକାର ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଶାନ୍ତି କମିଟି ସହିତ ବହୁ ସ୍ତରର ଆଲୋଚନା କରାଯାଇଛି ଓ ପୋଲିସ ମଧ୍ୟ ଏନେଇ ସତର୍କ ରହିଛି।

ଜିଲ୍ଲା ଜଜ୍ ଅଜୟ କୃଷ୍ଣ ୨୪ ଅଗଷ୍ଟରେ ଏହି ମାମଲାରେ ରାୟକୁ ସଂରକ୍ଷିତ ରଖିଥିଲେ ଓ ୧୨ ସେପ୍ଟେମ୍ବରରେ ରାୟ ଶୁଣାଇବାର ଘୋଷଣା କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ୨୩ ମଇରୁ ଜିଲ୍ଲା କୋର୍ଟରେ ଶୁଣାଣି ଚାଲିଥିଲା। ନାଗରିକ ପକ୍ରିୟା ସଂହିତା ସିପିସିର ନିର୍ଦେଶର ୭ନିୟମ ୧୧ ଅନୁସାରେ, କେସ୍‌ ଶୁଣାଣି ଯୋଗ୍ୟ ରହିଛି କିମ୍ବା ନାହିଁ, ଏହା ଉପରେ କୋର୍ଟରେ ଶୁଣାଣି ଚାଲିଛି। ଗତ ଶୁଣାଣିରେ ମୁସଲମାନ ପକ୍ଷ ଦଲିଲ ଦେଇଥିଲେ।

ତେବେ ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରରେ ବୋମା ନିଷ୍କ୍ରିୟକାରୀ ଦଳ ଓ ଡଗ୍‌ ସ୍କ୍ବାର୍ଡ ମଧ୍ୟ ନଜର ରଖିଛନ୍ତି। ସିଭିଲ ଡ୍ରେସ୍‌ରେ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। କୋର୍ଟ ପରିସରର ଆଖପାଖରେ କୌଣସି ବାହାର ବ୍ୟକ୍ତିଙ୍କୁ ଠିଆ ହେବାର ଅନୁମତି ମିଳିନାହିଁ। କୋର୍ଟ ପରିସରର ଆଖ ପାଖରେ କ୍ବିକ୍‌ ରେସପନ୍ସ ଟିମ୍‌ଙ୍କୁ ମୁତୟନ କରାଯାଇଛି। ରାୟ ଆଜି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ଭିତରେ ଆସିବାର ଆଶା କରାଯାଉଛି। ଏହାଛଡା ବାରଣାସୀରେ ୧୪୪ ଧାରା ଜାରି ରହିଛି।