୧୦ ମାସ ଶିଶୁକୁ ବୋରୱେଲରୁ ଉଦ୍ଧାର କଲେ ଭାରତୀୟ ଯବାନ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୦ ମାସ ଶିଶୁକୁ ବୋରୱେଲରୁ ଉଦ୍ଧାର କଲେ ଭାରତୀୟ ଯବାନ୍ । ନିକଟରେ ଯବାନଙ୍କର ଏପରି ଆଉ ଏକ ଫଟୋ ଓ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଭାବବିହ୍ୱଳ ହୋଇଯିବେ ନିଶ୍ଚୟ । ଏବେ ସୋସିଆଲ ମିଡିଆରେ ଯବାନଙ୍କର ଏପରି କିଛି ଫଟୋ ଓ ଭିଜୁଆଲ ଭାଇରାଲ ହେଉଛି ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ । ଏହି ଫଟୋକୁ ନେତା ମନ୍ତ୍ରୀ ଟ୍ୱିଟ୍ କରି ଯବାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହି ଫଟୋରେ ଦେଖାଯାଉଛି ଜଣେ ଯବାନ୍ ଏକ ଛୋଟ ଶିଶୁକୁ କୋଳରେ ଧରି ବସିଛନ୍ତି । ଆଉ ଶିଶୁକୁ ଖାଦ୍ୟ ଖୁଆଉଛନ୍ତି । ଫଟୋ ଦେଖିଲେ ଜଣାପଡୁଛି ସେ ଏକ ଆମ୍ବୁଲାନ୍ସରେ ବସିଛନ୍ତି । ଏପରି ଏକ ଫଟୋକୁ ଦେଖି ସାରା ଦେଶବାସୀ ଯବାନଙ୍କ କାର୍ୟ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ସମ୍ମାନରେ ମୁଣ୍ଡ ନୁଆଁଇଛନ୍ତି ।

ସୂଚନା ମୁତାବକ, ମଙ୍ଗଳବାର (ଜୁନ୍ ୭) ରାତି ପ୍ରାୟ ୮ଟାରେ ଡୁଡାପୁର ଗାଁରେ ଏହି ଘଟଣା ଘଟିଥିଲା ଯେତେବେଳେ ୧୦ ମାସର ଶିଶୁ ଶିବମ୍ , ଏକ ଫାର୍ମରେ ଖେଳୁଥିଲା, ଯେଉଁଠାରେ ତାଙ୍କ ବାପା, ମା’ ଶ୍ରମିକ ଭାବରେ କାମ କରୁଥିଲେ। ସେ ବୋରୱେଲରେ ପଡ଼ି ୨୦-୨୫ ଫୁଟ ଗଭୀରତାରେ ଖସିପଡିଥିଲେ । ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସ୍ଥାନୀୟ ବିପର୍ୟ୍ୟୟ ପରିଚାଳନା ସେଲ୍ ଏବଂ ଅହମ୍ମଦାବାଦରେ ଅବସ୍ଥିତ ଜାତୀୟ ବିପର୍ୟ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ଏକ ଦଳକୁ ଜଣାଇଥିଲେ । ଏହାସହ ସ୍ଥାନୀୟ ପ୍ରଶାସନ ସେନା, ଏବଂ ପୋଲିସର ସହାୟତା ମଧ୍ୟ ଲୋଡିଥିଲେ। ଏହାପରେ ସେନା, ପୋଲିସ, ଜିଲ୍ଲା ପ୍ରଶାସନକର୍ମଚାରୀ ଏବଂ ଗ୍ରାମବାସୀଙ୍କ ଏକ ମିଳିତ ଦଳ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଘଣ୍ଟାର ଚେଷ୍ଟା ପରେ ଶିଶୁଟିକୁ ବାହାର କରିବାରେ ସଫଳ ହୋଇଥିଲେ ।

Related Posts