ପୁଣି ସିବିଆଇ ସ୍କାନରରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ; ସିସୋଦିଆଙ୍କ ବ୍ୟାଙ୍କ୍ ଲକର ଯାଞ୍ଚ କରୁଛି ସିବିଆଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିନକୁ ଦିନ ରୋଚକ ହେଉଛି ଦିଲ୍ଲୀ ଶାସକ ଦଳ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ତୁତୁ ମେଁ ମେଁ। ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଆଜି ଆପ୍‌ ସିବିଆଇ ପାଖରେ ଅଭିଯୋଗ କରିବାର ଥିଲା। କିନ୍ତୁ ଏହା ପୂର୍ବରୁ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ମନୀଷ ସିସୋଦିଆଙ୍କ ବ୍ୟାଙ୍କ ଲକର୍‌ ଯାଞ୍ଚ କରିବାକୁ ପହଞ୍ଚି ଯାଇଛି। ସିସୋଦିଆଙ୍କ ବ୍ୟାଙ୍କ ଲକରର୍‌ ଯାଞ୍ଚ କରି ପ୍ରମାଣ ଖୋଜୁଛି ସିବିଆଇ।

ଭ୍ରଷ୍ଟାଚାର ଓ ଅବକାରୀ ଦୁର୍ନୀତିକୁ ନେଇ ଫସିଥିବା ମନୀଷ ସିସୋଦିଆଙ୍କ ଅଡୁଆ ଥମୁନି। ସିବିଆଇ ସ୍କାନର୍‌ରେ ରହିଛି ତାଙ୍କର ବ୍ୟାଙ୍କ ଲକର୍‌। ଗାଜିଆବାଦର ବସୁନ୍ଧରା ସେକ୍ଟର-୪ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମନୀଷ ସିସୋଦିଆଙ୍କ ବ୍ୟାଙ୍କ ଲକର୍‌ ରହିଛି। ଏହି ଏହି ଲକର୍‌ର ଯାଞ୍ଚ କରିବା ପାଇଁ ସିବିଆଇ ଟିମ୍‌ ବ୍ୟାଙ୍କରେ ପହଞ୍ଚି ସରିଥିବା ବେଳେ ସିସୋଦିଆ ଓ ତାଙ୍କ ପତ୍ନୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ସିସୋଦିଆଙ୍କ ସାମ୍ନାରେ ତଦନ୍ତ ଅଧିକାରୀମାନେ ତାଙ୍କ ଲକର୍‌ର ଯାଞ୍ଚ କରୁଛନ୍ତି।

ତେବେ ବ୍ୟାଙ୍କ ଲକର୍‌ ଯାଞ୍ଚ ପୂର୍ବରୁ ସିବିଆଇ ଓ କ୍ରେନ୍ଦ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ। ସେ ଟ୍ୱିଟ୍‌ କରି କହିଛନ୍ତି, ‘ସିବିଆଇ ମୋର ବ୍ୟାଙ୍କ ଲକର୍‌ ଯାଞ୍ଚ କରିବାକୁ ଆସୁଛି। ଅଗଷ୍ଟ ୧୯ରେ ମୋ ଘରେ ୧୪ ଘଣ୍ଟା ଧରି ରେଡ୍‌ କରାଯାଇଥିଲେ ମଧ୍ୟ କିଛି ମିଳିନଥିଲା। ଏବେ ଲକର୍‌ରୁ ମଧ୍ୟ କିଛି ମିଳିବ ନାହିଁ। ସିବିଆଇକୁ ମୁଁ ସ୍ୱାଗତ କରୁଛି। ତଦନ୍ତରେ ମୁଁ ଆଉ ମୋ ପରିବାର ସଂପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ।’

ତେବେ ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଆକ୍ସନ ମୁଡ୍‌ରେ ଅଛି। ଏହାପୂର୍ବରୁ ସିବିଆଇ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରିଥିଲା। କେବଳ ଏତିକି ନୁହେଁ ସିବିଆଇ ଏହି ମାମଲାରେ ପୂର୍ବତନ ଅବକାରୀ କମିଶନର ଅରାବା ଗୋପୀ କୃଷ୍ଣନଙ୍କ ଘର ସମେତ ୭ଟି ରାଜ୍ୟରେ ଏକକାଳୀନ ୩୧ଟି ସ୍ଥାନରେ ଚଢ଼ାଉ କରିଥିଲା।

Related Posts