ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡ଼ୁଆ । ବ୍ୟାଙ୍କ ଠକେଇ ମାମଲାରେ ରିଲାଏନ୍ସ କମ୍ୟୁନିକେସନ୍ସର ଦୁଇ ବରିଷ୍ଠ ଅଧିକାରୀଙ୍କୁ ଗିରଫ କଲା ସିବିଆଇ । ତେବେ ବ୍ୟାଙ୍କ ଠକେଇ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କମ୍ପାନୀର ଦୁଇ ବରିଷ୍ଠ ଅଧିକାରୀ ଡି. ବିଶ୍ୱନାଥ ଓ ଅନିଲ କାଲ୍ୟାଙ୍କୁ ଗିରଫ କରିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ଦାୟର କରାଯାଇଥିବା ଅଭିଯୋଗ ଆଧାରରେ, ରିଲାଏନ୍ସ କମ୍ୟୁନିକେସନ୍ସ ଓ ଏହାର ମୁଖ୍ୟ ଅନିଲ ଧୀରୁଭାଇ ଅମ୍ବାନୀଙ୍କ ବିରୁଦ୍ଧରେ ଏହି ମାମଲା ରୁଜୁ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଠକେଇ କାରଣରୁ କେବଳ ଏସବିଆଇ ର ପ୍ରାୟ ୨,୯୨୯ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ଦେଶର ୧୭ଟି ସରକାରୀ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାର ମୋଟ କ୍ଷତି ପ୍ରାୟ ୧୯,୬୯୪.୩୩ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ସେପଟେ ସିବିଆଇର ଅଭିଯୋଗ ଅନୁଯାୟୀ, ରିଲାଏନ୍ସ କମ୍ୟୁନିକେସନ୍ସ କମ୍ପାନୀ ଅଧିକାରୀଙ୍କ ଦ୍ୱାରା ନିୟନ୍ତ୍ରିତ ଶେଲ୍ କମ୍ପାନୀ ମାଧ୍ୟମରେ ଚକ୍ରବ୍ୟୂହ ପରି ଜଟିଳ ଆର୍ଥିକ କାରବାର କରୁଥିଲା। ଏହାବ୍ୟତୀତ, ଗ୍ରୁପ୍ କମ୍ପାନୀଗୁଡ଼ିକ ସହ ନକଲି ସେବା-ସମ୍ବନ୍ଧୀୟ କାରବାର ପାଇଁ ”ଡିସକାଉଣ୍ଟେଡ୍ ଲେଟର୍ସ ଅଫ୍ କ୍ରେଡିଟ୍” (ଏଲସିଏସ୍) ର ବ୍ୟବହାର କରାଯାଇଥିଲା, ଯାହା ଶେଷରେ ବ୍ୟାଙ୍କଗୁଡ଼ିକ ପାଇଁ ବଡ଼ ଆର୍ଥିକ କ୍ଷତିର କାରଣ ସାଜିଛି। ଡି. ବିଶ୍ୱନାଥ (ଜଏଣ୍ଟ ପ୍ରେସିଡେଣ୍ଟ) କମ୍ପାନୀର ବ୍ୟାଙ୍କିଂ କାର୍ଯ୍ୟକଳାପ ତଦାରଖ କରୁଥିବା ବେଳେ ଅନିଲ କାଲ୍ୟା (ଭାଇସ୍ ପ୍ରେସିଡେଣ୍ଟ) କର୍ପୋରେଟ୍ ଫାଇନାନ୍ସ ଓ ପାଣ୍ଠି ଉପଯୋଗରେ ତାଙ୍କୁ ସହଯୋଗ କରୁଥିଲେ।
