ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋଲକାତା ବିଧାନସଭା ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ଏକ ନିର୍ବାଚନୀ ସଭା ସାରି ଫେରୁଥିବା ବେଳେ ହଠାତ୍ ନିଜ ସୁରକ୍ଷା କାଫିଲାକୁ ଅଟକାଇ ଏକ ରାସ୍ତାକଡ଼ ଉଠା ଦୋକାନରୁ ଝାଲମୁଢି ଖାଇବା ଘଟଣାକୁ ନେଇ ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଏକ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି।ପ୍ରଧାନମନ୍ତ୍ରୀଙ୍କ ଏହି ଭିନ୍ନ ସାଧାରଣ ଅନ୍ଦାଜକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ନିନ୍ଦା କରିବା ସହ ଏହାକୁ ଭୋଟରଙ୍କୁ ଭ୍ରମିତ କରିବା ପାଇଁ ଏକ ସୁଚିନ୍ତିତ “କ୍ରେଡିବିଲିଟି ଷ୍ଟଣ୍ଟ” ବା ଜନସମ୍ପର୍କର ଏକ ପୂର୍ବ ପ୍ରସ୍ତୁତ ‘ନାଟକ’ ବୋଲି କହିଛନ୍ତି। ମଙ୍ଗଳବାର ବୀରଭୂମିର ମୁରାରାଇଠାରେ ଆୟୋଜିତ ଏକ ବିଶାଳ ଜନସଭାରେ ମମତା ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରକାଶ କରି କହିଛନ୍ତି ଯେ, ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ କୌଣସି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନଥାଏ, ସେତେବେଳେ ସେଠାରେ ହାଇ-ଡେଫିନେସନ୍ କ୍ୟାମେରା ଏବଂ ସୋସିଆଲ ମିଡିଆ ଟିମ୍ କିପରି ଉପସ୍ଥିତ ଥିଲେ, ତାହା ବିଜେପିର ସାଂଗଠନିକ ପ୍ରପାଗାଣ୍ଡାକୁ ସ୍ପଷ୍ଟ କରୁଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଅଚାନକ ରୋଡ୍-ସାଇଡ୍ ଷ୍ଟପ୍ ସମୟରେ ସେ ଜଣେ ସାଧାରଣ ନାଗରିକଙ୍କ ପରି ଦୋକାନୀ ବିକ୍ରମ ଶାହଙ୍କ ସହ ହସଖୁସିରେ କଥା ହେବା ଏବଂ ପକେଟରୁ ୧୦ ଟଙ୍କା ବାହାର କରି ପଇଠ କରିବା ଘଟଣାକୁ ମମତା ଏକ ସ୍କ୍ରିପ୍ଟେଡ୍ ଡ୍ରାମା ବୋଲି କହିଛନ୍ତି। ବିଶେଷକରି ଦୋକାନୀ ସହ କଥାବାର୍ତ୍ତା ସମୟରେ ଯେତେବେଳେ ବିକ୍ରମ ପ୍ରଧାନମନ୍ତ୍ରୀଙ୍କୁ ପିଆଜ ଖାଇବା ବିଷୟରେ ପଚାରିଥିଲେ, ମୋଦୀ ମଜାରେ କହିଥିଲେ, ମୁଁ ସବୁକିଛି ଖାଏ, କିନ୍ତୁ କାହାର ମସ୍ତିଷ୍କ ଖାଏ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଏହି ପରୋକ୍ଷ କଟାକ୍ଷକୁ ନେଇ ମମତା ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଏହା ବଙ୍ଗଳାର ସଂସ୍କୃତି ସହ ଏକ କ୍ରୂର ପରିହାସ ବୋଲି ମମତା ବାନାର୍ଜୀ କହିଛନ୍ତି।