୩ଥର ବିଧାୟିକା ତଥା ୨ ଥର ମନ୍ତ୍ରୀ ହୋଇଥିବା ଅଞ୍ଜଳି ବେହେରା ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କଲେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବଚନ ପାଇଁ ଜୋର ଦାର ପ୍ରସ୍ତୁତି ଚାଲିଛି । ଏନେଇ ଅନେକ ସ୍ଥାନରେ ପ୍ରାର୍ଥୀ ମଧ୍ୟ ଘୋଷଣା କରାଯାଇଛି । ଏହା ମଧ୍ୟରେ ପୂର୍ବତନ ମନ୍ତ୍ରୀ ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଥିବାର କଥା ସାମ୍ନାକୁ ଆସିଛି । ତେବେ ୩ ଥର ବିଧାୟିକା ତଥା ୨ ଥର ମନ୍ତ୍ରୀ ହୋଇଥିବା ଅଞ୍ଜଳି ବେହେରା ଗତକାଲି ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଞ୍ଜଳି ପୂର୍ବରୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ଦୁଇ ଦୁଇ ଥର ମନ୍ତ୍ରୀ ପଦରେ ମଧ୍ୟ ବସିଥିଲେ। ବିଜେଡିରେ ବିଧାୟକ ହେବା ପରେ ଥରେ ବୟନଶିଳ୍ପ ମନ୍ତ୍ରୀ ଓ ପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ହୋଇଥିଲେ।

ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହୋଇଥିଲେ ଓ ଟିକେଟ୍ ମଧ୍ୟ ପାଇ ନ ଥିଲେ। ଗତ କିଛି ଦିନ ତଳେ ଅଞ୍ଜଳି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଅନ୍ୟପଟେ ଗତକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧରପ୍ରସାଦ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ତୃଣମୂଳ ସ୍ତରରେ ସଙ୍ଗଠନ କରିବାକୁ ହେଲେ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ । ଦଳ ପରିବର୍ତ୍ତନ ହେତୁ ୭ ବର୍ଷ ହେଲା ଲୋକଙ୍କଠାରୁ ଦୂରେଇ ଯାଇଥିଲି। ଲୋକଙ୍କ ନିକଟକୁ ଯିବାକୁ ହେଲେ ଏବେ ନିର୍ବାଚନ ଥିବାରୁ ନିର୍ବାଚନ ଲଢ଼ୁଛି ବୋଲି ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା କହିଛନ୍ତି ।

Related Posts