ରୁଷରେ ଆରମ୍ଭ ହେଲା ବାର୍ଷିକ ବହୁଦେଶୀୟ ସମରାଭ୍ୟାସ ଭୋସ୍ତକ୍-୨୦୨୨: ଯୋଗ ଦେଲା ଭାରତ

ମସ୍କୋ : ରୁଷରେ ଆରମ୍ଭ ହୋଇଛି ବାର୍ଷିକ ବହୁଦେଶୀୟ ସମରାଭ୍ୟାସ ଭୋସ୍ତକ୍-୨୦୨୨ । ଭାରତ ଏହି ସମରାଭ୍ୟାସରେ ଯୋଗ ଦେଇଛି ।ବିଭିନ୍ନ କାରଣରୁ ଏହି ସମରାଭ୍ୟାସ ବିବାଦ ଲାଗିରହିଥିବା ବେଳେ, ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏହି ସମରାଭ୍ୟାସ ମାଧ୍ୟମରେ ରୁଷ ନିଜର ପ୍ରଭାବ ଦେଖାଇବାକୁ ଚାହୁଁଛି । ସେପଟେ ଏହି ସମରାଭ୍ୟାସକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ବିରୋଧ କରୁଛନ୍ତି । ଭାରତର ଅଂଶଗ୍ରହଣକୁ ନେଇ ଆମେରିକା ଖୋଲାଖୋଲି ଅସନ୍ତୋଷ ଜଣାଇ ସାରିଛି ।

ତେବେ ଭାରତର ସେନା ଓ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ କୌଣସି ଘୋଷଣା କରିନଥିଲେ ବି ଗତ ମାସରେ ଚୀନ ସେନାର ଏକ ରିପୋର୍ଟରେ ଭାରତର ଅଂଶଗ୍ରହଣ ନେଇ ସୂଚନା ଦିଆଯାଇଥିଲା ।

ଏହି ସମରାଭ୍ୟାସରେ ଭାରତ, ଚୀନ, ଆର୍ମେନିଆ, ଆଜରବୈଜାନ, ବେଲାରୁଷ, କାଜାଖସ୍ତାନ, କିରଗୀଜସ୍ତାନ, ତାଜିକିସ୍ତାନ ଓ ମଙ୍ଗୋଲିଆ ସେନା ଯୋଗ ଦେଇଛନ୍ତି । ଏହି ସମରାଭ୍ୟାସରେ ୫୦ ହଜାର ସୈନ୍ୟ, ୫ ହଜାର ଯୁଦ୍ଧ ସରଞ୍ଜାମ,୧୪୦ଟି ଲଢୁଆ ବିମାନ, ୬୦ଟି ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବେ ।

ସାମରିକ ବିଶେଷଜ୍ଞମାନେ ଏହି ସମରାଭ୍ୟାସକୁ ବେଶ ଗୁରୁତ୍ବ ଦେଉଛନ୍ତି । କାରଣ ଗୋଟିଏ ପଟେ ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଅନ୍ୟପଟେ ତାଇଓ୍ବାନକୁ ନେଇ ଚୀନ ସମରାଭ୍ୟାସ ଜାରି ରଖିଛି । ଏପରିପ୍ରେକ୍ଷୀରେ ଏହି ସମରାଭ୍ୟାସ ମାଧ୍ୟମରେ ରୁଷ ଦର୍ଶାଇବାକୁ ଚାହୁଁଛି ଯେ ସେ ବିଶ୍ବରେ ଏକୁଟିଆ ନାହିଁ ଓ ତା ପାଖରେ ଯଥେଷ୍ଟ ଯୁଦ୍ଧ ସରଞ୍ଜାମ ଅଛି ।

Related Posts