ମହାରାଷ୍ଟ୍ର ରାଜନୀତି: ରାଜ ଠାକରେଙ୍କୁ ଭେଟିଲେ ଏକନାଥ ସିନ୍ଦେ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ରାଜଙ୍କ ଦାଦରସ୍ଥିତ ଘରେ ଏହି ସାକ୍ଷାତ ହୋଇଥିଲା । ଗଣେଶ ପୂଜା ଅଭିନନ୍ଦନ ଜଣାଇବାକୁ ଏହି ସାକ୍ଷାତ ହୋଇଥିବା କୁହାଯାଉଥିଲେ ବି ଆଗକୁ ଗୁରୁତ୍ବପୂର୍ଣ୍ଣ ମୁମ୍ବାଇ ମହାନଗର ପାଳିକା ନିର୍ବାଚନ ଥିବାରୁ ଏହି ସାକ୍ଷାତକୁ ଗୁରୁତ୍ବ ଦିଆଯାଉଛି ।

ଏହା ପୂର୍ବରୁ ଗତ ଅଗଷ୍ଟ ୨୯ ତାରିଖରେ ରାଜ ଠାକରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଭେଟିଥିଲେ । ଏହାର ତିନିଦିନ ପରେ ମୁଖ୍ୟମନ୍ତ୍ରୀ ସିନ୍ଦେ ରାଜଙ୍କୁ ଭେଟିବା ମହାନଗର ପାଳିକା ନିର୍ବାଚନରେ ବିଜେପି, ଏମଏନଏସ ଓ ସିନ୍ଦେ ନେତୃତ୍ବାଧୀନ ଶିବସେନା ମଧ୍ୟରେ ମେଣ୍ଟ ସମ୍ଭାବନାକୁ ବଢାଇଦେଇଛି ।

ପୁଣି ଚଳିତ ଗଣେଶୋତ୍ସବ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ମୁମ୍ବାଇ ଗସ୍ତରେ ଯିବାର ସମ୍ଭାବନା ରହିଛି । ଏହି ଗସ୍ତ ଅବସରରେ ଉଭୟ ନେତା ମହାନଗରପାଳିକା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବାର ସମ୍ଭାବନା ରହିଛି । ଶାହା ଓ ନଡ୍ଡା ମଧ୍ୟ ରାଜଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି ।

Related Posts