ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ । ଧୀରେ ଧୀରେ ବଢ଼ୁଛି ବାତ୍ୟା ଆଶଙ୍କା । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଅର୍ଥାତ୍‌ ଅକ୍ଟୋବର ୩୧ ତାରିଖ ସକାଳ ୮ଟା ୩୦ ସୁଦ୍ଧା ଲଘୁଚାପଟି ଅଧିକ ଘନୀଭୂତ ହୋଇ ସୁସ୍ପଷ୍ଟ ଲଘୁଚାପର ରୂପ ନେଇଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

କେବଳ ସେତିକି ନୁହେଁ, ଅବପାତରେ ପରିଣତ ହେବାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି  ଏବେ ସମସ୍ତଙ୍କ ନଜର ଏହି ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ । ବିଶେଷ କରି ଆନ୍ଧ୍ରପ୍ରଦେଶ ଉପକୂଳ ସହ ଓଡ଼ିଶାରେ ଏହାର କି ପ୍ରଭାବ ପଡ଼ିବ, ତାହାକୁ ନେଇ ଚିନ୍ତା ବଢ଼ିଛି । ତେବେ ଓଡ଼ିଶାରେ ବର୍ଷା କିମ୍ବା ପବନର ପ୍ରଭାବ ସମ୍ପର୍କରେ ଏହି ବୁଲେଟିନ୍‌ରେ ନିର୍ଦ୍ଦିଷ୍ଟ ଆକଳନ ଦିଆଯାଇନାହିଁ ।