(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିନକୁ ଦିନ ଉତ୍କଟ ହେଉଛି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ। କେନ୍ଦ୍ରାପଡା ଜିଲ୍ଲାରୁ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ଫସଲହାନୀ ଆଶଙ୍କାରେ ଚାଷୀ ଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀ ଜଣକ ହେଉଛନ୍ତି କେନ୍ଦ୍ରପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ହାଟସାହି ଗାଁର ଅମର ଜେନା।

ଖବର ଅନୁଯାୟୀ , ଅମର ହେଉଛନ୍ତି ଜଣେ ଭାଗଚାଷୀ। ସେ ଆଉ ଜଣଙ୍କର ୫ ଏକର ଜମିରେ ଭାଗଚାଷ କରୁଥିଲେ। ଏବଂ ଚାଷ କାର୍ଯ୍ୟ କରିବା ପାଇଁ ସମବାୟ ସଂସ୍ଥା ଏବଂ ଗାଁ ଲୋକଙ୍କ ଠାରୁ କରଜ କରି ଫସଲ କରିଥିଲେ। କିନ୍ତୁ କାଳ ସାଜିଲା ନିଅଣ୍ଟିଆ ବର୍ଷା। ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କରିଛି। ଫଳସ୍ୱରୂପ ଫସଲହାନୀ ଆଶଙ୍କାରେ ଗତକାଲି ଅମର ବିଲକୁ ଯାଇ ବିଷ ପିଇ ଦେଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି। 

ଅମରଙ୍କୁ ଘର ଲୋକେ ବହୁ ଖୋଜାଖୋଜି କରି ଥିଲେ। ଶେଷରେ ତାଙ୍କୁ ଚାଷ ଜମିରେ ପାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଭର୍ତ୍ତି ହେଲା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ଅମରଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ସଂପର୍କରେ କନିକା ତହସିଲଦାର କହିଛନ୍ତି ଯେ, ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଅମରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିବ। 

ତେବେ ଉଲ୍ଲେଖନୀୟ କଥା ହେଉଛି ଯେ, କିଛିଦିନ ପୂର୍ବେ ଆଉ ଏକ ଚାଷୀ ଆତ୍ମହତ୍ୟା ଅଭିଯୋଗ ସାମ୍ନାକୁ ଆସିଥିଲା। ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ୍‌ ଅନ୍ତର୍ଗତ କାଦୋବେରା ଗାଁର ରେଚକା ବନ୍‌ଛୋର ନାମକ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତ୍ୟୁ ପଛର କାରଣ ଚାଷ କାମରେ କ୍ଷତି ବୋଲି ମୃତକଙ୍କ ପୁଅ ପବିତ୍ର ବନଛୋର କହିଥିଲେ। ଚଳିତବର୍ଷ ନିଅଣ୍ଟିଆ ବର୍ଷା ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବର୍ଷାର ଲୁଚକାଳି ଖେଳ ପାଇଁ ହଇରାଣ ହେଉଛନ୍ତି ଚାଷୀ। ଅନେକ ଜାଗାରେ ମରୁଡିର ଆଶଙ୍କା ସୃଷ୍ଟି ହୋଇଛି। ଏପଟେ ସାର ସମସ୍ୟା ବି ଉତ୍କଟ ହେଉଛି। ଲୋକେ ସାର ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇ ସାର ପାଇ ପାରୁ ନାହାନ୍ତି।