(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୃଷି ଆଇନ ବିରୋଧରେ ଆଜି ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଜିଆଇସି ଗ୍ରାଉଣ୍ଡରେ କୃଷକ ମାନଙ୍କର ମହା ପଞ୍ଚାୟତ ଅନୁଷ୍ଠିତ ହୋଇଛି। କୃଷି ଆଇନ ବିରୁଦ୍ଧରେ ଚାଲିଥିବା ଚାଷୀଙ୍କ ଏହି ବିଶାଳ ସମାବେଶକୁ ସମର୍ଥନ କରିଛନ୍ତି ଦୁଇ ଜଣ ବିଜେପି ସାଂସଦ । ଏହି ବିଶାଳ ସମାବେଶ ପ୍ରତି ନିଜର ସମର୍ଥନ ଥିବାର ଜଣାଇ ଟ୍ବିଟ୍ କରିଛନ୍ତି ଭାରତୀୟ ଜନତା ପାର୍ଟିର ସାଂସଦ ବରୁଣ ଗାନ୍ଧୀ । କେନ୍ଦ୍ର ସରକାରଙ୍କ ଏହି ୩ଟି ବିବାଦୀୟ କୃଷି ଆଇନ ରଦ୍ଦ କରିବା ଦାବିରେ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ବିଜେପି ସାଂସଦ ବରୁଣ ଗାନ୍ଧୀ ଆଜି କୃଷକଙ୍କ ସପକ୍ଷରେ ନିଜର ମତ ପ୍ରକାଶ କରିଛନ୍ତି।
ଗୋଟିଏ ପଟେ ଆଜିର ମୁଜାଫରନଗର କୃଷକ ମହାପଞ୍ଚାୟତରେ ଚାଷୀ ମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେଇଥିବା ବେଳେ ବିଜେପି ସାଂସଦ ବରୁଣ ଗାନ୍ଧୀ ଚାଷୀଙ୍କ ସମର୍ଥନରେ ଟୁଇଟ୍ କରିଛନ୍ତି।
ବରୁଣ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ ଚାଷୀ ମାନେ ଆମ ରକ୍ତର ତେଣୁ ଆମକୁ ସେମାନଙ୍କ ଯନ୍ତ୍ରଣା ବୁଝିବାକୁ ପଡ଼ିବ। ଆଜି ମୁଜାଫରନଗରରେ ଚାଲିଥିବା ଏହି ବିଶାଳ ଚାଷୀ ସମାବେଶରେ ଲକ୍ଷ ଲକ୍ଷ କୃଷକ ଏକାଠି ହୋଇଛନ୍ତି। ସେମାନେ ଆମ ରକ୍ତର ତେଣୁ ଆମକୁ ସେମାନଙ୍କର ଯନ୍ତ୍ରଣା ବୁଝିବାକୁ ହେବ , ସେମାନଙ୍କର ଦୃଷ୍ଟିକୋଣ ଦେଖନ୍ତୁ ଏବଂ ସେମାନଙ୍କ ସହିତ କାମ କରନ୍ତୁ’ ।
ତେବେ ବରୁଣ ଗାନ୍ଧୀଙ୍କ ଏହି ଟ୍ୱିଟକୁ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ରିଟ୍ୱିଟ କରି ପରୋକ୍ଷରେ ନିଜର ସମର୍ଥନ ଜଣାଇଛନ୍ତି। ତେବେ ବିଜେପି ସାଂସଦଙ୍କ ଏହି ଟ୍ୱିଟ ଗୁରୁତ୍ୱପୂର୍ଣ୍ଣ କାରଣ ଭାରତୀୟ ଜନତା ପାର୍ଟି କୃଷି ଆଇନକୁ ଦୃଢ଼ ସମର୍ଥନ କରୁଛି । ବିଜେପି ଏବଂ ମୋଦୀ ସରକାର କୃଷି ଆଇନକୁ ସମର୍ଥନ କରୁଥିବାବେଳେ କୃଷକ ସଂଗଠନ ଏହାକୁ ବିରୋଧ କରୁଛନ୍ତି ଏବଂ ଏହାକୁ କଳା ଆଇନ ବୋଲି କହି ଏହାକୁ ରଦ୍ଦ କରିବା ପାଇଁ ଦାବି କରି ଆସୁଛନ୍ତି । କେନ୍ଦ୍ର ସରକାର ସବୁବେଳେ ଏହି ଆଇନକୁ ଚାଷୀଙ୍କ ହିତରେ ବୋଲି କହି ସମର୍ଥନ କରି ଆସୁଛନ୍ତି।