‘ଆଜି ଆଉ ଏକ ଲଭ୍ ଲେଟର ଆସିଛି’; ଉପରାଜ୍ୟପାଳଙ୍କ ଚିଠିକୁ ନେଇ କେଜ୍ରିୱାଲଙ୍କ କଟାକ୍ଷ

ଭୂଆବେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଓ ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଉପରାଜ୍ୟପାଳ ଆପ ସରକାର ବିରୋଧରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ନେଇ ତଦନ୍ତ ନିର୍ଦ୍ଦେଶ ଦେଉଥିବା ବେଳେ ଆପ ମଧ୍ୟ ଉପରାଜ୍ୟପାଳଙ୍କୁ ଜୋରଦାର ଟାର୍ଗେଟ କରୁଛି। ଏହି କ୍ରମରେ ଆଜି ଉପରାଜ୍ୟପାଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏକ ପତ୍ର ଲେଖିଛନ୍ତି । ଉକ୍ତ ଚିଠିରେ ଉପରାଜ୍ୟପାଳ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ମନ୍ତ୍ରୀ ଓ ନେତାଙ୍କ ବିଭ୍ରାନ୍ତିକର, ଅବ୍ୟବହୃତ ଏବଂ ଅସତ୍ୟ ବିବୃତ୍ତି ବିଷୟରେ ଜାଣିବା ଦରକାର ।

ଦୁଃଖ ପ୍ରକାଶ କରି ଉପରାଜ୍ୟପାଳ ଚିଠିରେ ଲେଖିଛନ୍ତି ଯେ, ସେ ନିଜ କର୍ତ୍ତବ୍ୟ ପାଳନ କରୁଥିବା ବେଳେ ସେ ଦିଲ୍ଲୀ ଜନତାଙ୍କ ସହ ଜଡିତ ସମସ୍ତ ପ୍ରସଙ୍ଗ ଉଠାଇଛନ୍ତି । ହେଲେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତାମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ କାର୍ଯ୍ୟ କରୁଛନ୍ତି । କେଜରିୱାଲଙ୍କ ଉଦ୍ଦେଶ୍ୟରେ ଉପରାଜ୍ୟପାଳ ଲେଖିଛନ୍ତି ଯେ ଆପଣ ମର୍ଯ୍ୟାଦାର ସମସ୍ତ ସୀମା ଲଂଘି ଯାଉଛନ୍ତି । ଏହାସହ ଶାସନର ଦାୟତ୍ୱ ନେବାକୁ ଦୂରେଇ ଦେଇ ଦୌଡି ପଳାଉଛନ୍ତି ବୋଲି ଚିଠିରେ ଉପରାଜ୍ୟପାଳ ଲେଖିଛନ୍ତି।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜରିୱାଲ ଉପରାଜ୍ୟପାଳଙ୍କ ଚିଠିର ଉତ୍ତର ଦେବାକୁ ଯାଇ ଟୁଇଟ କରି ତାଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ‘ଆଜି ଆଉ ଏକ ଲଭ ଲେଟର ଆସିଛି’। ପୁଣିଥରେ କେଜରିୱାଲ ଉପରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଉପରାଜ୍ୟପାଳଙ୍କ ଚିଠିକୁ ନେଇ କେଜରିୱାଲ କଟାକ୍ଷ କରିଥିଲେ ଓ କହିଥିଲେ ଯେ, ଏଲଜି ସାହେବ ମୋ ନିକଟକୁ ଯେତିକି ଲଭ ଲେଟର ଲେଖିଛନ୍ତି ସେତିକି ବୋଧହୁଏ ମୋ ପତ୍ନୀ ମୋ ନିକଟକୁ ଲେଖି ନ ଥିବେ । ସେ ମୋତେ ଯେତେ ଗାଳି କରୁଛନ୍ତି ମୋ ପତ୍ନୀ ମଧ୍ୟ ମୋତେ ସେତିକି ଗାଳି କରୁନାହାନ୍ତି ବୋଲି କେଜ୍ରିୱାଲ କହିଥିଲେ।

Related Posts