ନୂଆଦିଲ୍ଲୀ: ତିହାର ଜେଲ୍‌ରେ ବନ୍ଦୀ ଥିବା ମହାଠକ ସୁକେଶ ଏବେ ଜେଲ ଭିତରେ ନିଜ ମନ ମାନି ଚଳାଇଛି | ପୋଲିସ ଆଗରେ ନିଜ ଇଛା ରଖିବା ପାଇଁ ଜିଦ କରୁଛି | ଅନଶନ କରୁଛି | ଯାହା ଏବେ ଜେଲ କତ୍ତୃପକ୍ଷଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି |

ନିକଟରେ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ପୁଣି ଅନଶନରେ ବସିଛି। ସେ ଜେଲ୍‌ ଭିତରେ କରିଛି ବିରୋଧ ପ୍ରଦର୍ଶନ। ଏଥର ଜେଲ ପ୍ରଶାସନଙ୍କ ପାଖରେ ସୁକେଶ ରଖିଛି ନୂଆ ଦାବି। ଦେଶ ଦୁନିଆର ଖବର ଦେଖିବା ପାଇଁ ତା’ ୱାର୍ଡରେ ଏକ ଟିଭିର ବ୍ୟବସ୍ଥା କରାଯାଉ ବୋଲି ସେ ଜିଦ୍‌ ଧରି ବସିଛି।

ତେବେ ତା’ ଦାବି ନମାନିବାରୁ ଏବଂ ଟେଲିଭିଜନର ବର୍ନ୍ଦବସ୍ତ ନକରିବାରକୁ ସେ ଏବଂ ତା’ ସହ ଅନ୍ୟ ଦୁଇ ଜଣ କଏଦୀ ଜେଲ୍‌ ଭିତରେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି। ତେବେ ଜେଲ ପ୍ରଶାସନ କିନ୍ତୁ ନାଲି ଆଖି ଦେଖାଇ ଏହି ଦାବିକୁ ଖାରଜ କରିଦେଇଛନ୍ତି। ଏଥିସହ ଜେଲ୍‌ ଭିତରେ କୌଣସି ପ୍ରକାରର ବିରୋଧ ପ୍ରଦର୍ଶନ କରାଯାଉନଥିବା ସେ କହିଛନ୍ତି।

ଜେଲ୍ ପ୍ରଶାସନ ସୁକେଶଙ୍କ ଦାବିକୁ ନେଇ କହିଛି, ଟିଭି ସୁବିଧା ସେହି କଏଦୀମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନଙ୍କର ଜେଲ୍‌ରେ ଆଚରଣ ଭଲ ରହିଛି। ସୁକେଶର ଆଚରଣ ଜେଲ୍‌ରେ ଭଲ ନାହିଁ। ସେଥିପାଇଁ ତା’ ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇ ପାରିବନାହିଁ।

କହିରଖୁ ଯେ, ସୁକେଶ କିଛି ଦିନ ପୂର୍ବେ ଜେଲ୍ ପ୍ରଶାସନ ତାକୁ ଜେଲ୍‌ରେ ବନ୍ଦୀ ଥିବା ତାର ପତ୍ନୀ ଲିନା ମାରିଆ ପଲ୍‌ଙ୍କ ସହ ଭେଟିବାକୁ ଅନୁମତି ଦିଆଯାଉ ଏବଂ ତାଙ୍କ ୱାର୍ଡକୁ ସିଫ୍ଟ କରାଯାଉ ବୋଲି ଦାବି କରିଥିଲା। ତେବେ ପତ୍ନୀଙ୍କ ସହ ମାସକୁ ଦୁଇରୁ ଅଧିକ ଥର ସାକ୍ଷାତ ମଞ୍ଜୁରୀ ଦିଆଯାଇ ପାରିବନାହିଁ ବୋଲି କହି ଜେଲ୍ ପ୍ରଶାସନ ତା’ର ଦାବିକୁ ନାମଞ୍ଜୁର କରିଦେଇଥିଲା। ଏହାପରେ ସୁକେଶ ଅନଶନ ଆରମ୍ଭ କରିଦେଇଥିଲା।

ସୂଚନାଯୋଗ୍ୟ ଯେ, ସୁକେଶ ଚନ୍ଦ୍ରଶେଖର ଜଣେ ମହାଠକ। ଦିଲ୍ଲୀ ପୁଲିସ ତା’ ବିରୋଧରେ ଅପରାଧ ଷଡଯନ୍ତ୍ର, ଠକେଇ ଏବଂ ପ୍ରାୟ ୨୦୦ କୋଟି ଟଙ୍କା ହଡପ ଅଭିଯୋଗର ତଦନ୍ତକରୁଛି। ସୁକେଶ ଜେଲ୍ ଅଧିକାରୀ ଏବଂ ବାହାରର କିଛି ସହଯୋଗୀଙ୍କ ସହ ମିଶି ଠକେଇ ଏବଂ ଚୋରାଚାଲାଣ ରାକେଟ୍ ଚଳାଉଥିଲା।