ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀରେ ଦେହ ବ୍ୟବସାୟର କୁଇନ୍ କୁହାଯାଉଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିରୋଧରେ ଅଭିଯୋଗ ଶେଷ ହେବାର ନାଁ ନେଉନାହିଁ । ଦିନ ଯେତିକି ଯେତିକି ଗଡ଼ୁଛି ଅଭିଯୋଗର ଫର୍ଦ୍ଦ ସେତିକି ସେତିକି ଲମ୍ବୁଛି। ଏବେ ଅର୍ଚ୍ଚନା ବିରୋଧରେ ଏକ ଅଭିଯୋଗ ସାମ୍ନାକୁ ଆସିଛି। ରାଜ୍ୟର ପ୍ରତିଷ୍ଠିତ ପ୍ରଯୋଜକ , ରାଜନେତାଙ୍କ ପରେ ଏବେ ଜଣେ ବ୍ୟବସାୟୀଙ୍କୁ ବ୍ଲାକ୍ମେଲ୍ କରି ଅର୍ଚ୍ଚନା ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ତେବେ ଏଭଳି ଅଭିଯୋଗରେ କୌଣସି ତଥ୍ୟଭିତ୍ତିକ ପ୍ରମାଣ ନଥିବା ଦର୍ଶାଇ ପୁଲିସ ଉକ୍ତ ମାମଲାକୁ ଅର୍ଚ୍ଚନାଙ୍କ ନାଁରେ ଚାଲିଥିବା ବ୍ଲାକ୍ମେଲ୍ କେସ୍ରେ ଯୋଡ଼ିବ ନାହିଁ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଗୁରୁବାର କଟକର ଜଣେ ବରିଷ୍ଠ ଆଇନଜୀବୀ ଖଣ୍ଡଗିରି ଥାନାକୁ ଏହି ଅଭିଯୋଗ ନେଇ ଆସିଥିଲେ। ଅର୍ଚ୍ଚନାଙ୍କ ଦ୍ବାରା ବ୍ଲାକ୍ମେଲ୍ର ଶିକାର ହୋଇଥିବା ଜଣେ ବ୍ୟବସାୟୀଙ୍କ ପକ୍ଷରୁ ସେ ଅଭିଯୋଗ କରିଥିଲେ। ୨ ବର୍ଷ ପୂର୍ବେ ଉକ୍ତ ଯୁବ ବ୍ୟବସାୟୀ ଓ ଅର୍ଚ୍ଚନାଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଥିଲା। ଅସୁବିଧାରେ ପଡ଼ିଥିବା କହି ଅର୍ଚ୍ଚନା ବିଭିନ୍ନ ସମୟରେ ବ୍ୟବସାୟୀଙ୍କଠାରୁ ଟଙ୍କା ଧାର୍ ନେଉଥିଲେ। ଏମିତିରେ ଉଭୟଙ୍କ ମଧ୍ୟର ନିବିଡ଼ତା ବଢ଼ିବା ପରେ ସେମାନଙ୍କ ମଧ୍ୟରେ ଶାରୀରିକ ସଂପର୍କ ପ୍ରତିଷ୍ଠା ହୋଇଯାଇଥିଲା। ବ୍ଲାକ୍ମେଲ୍ କରିବାକୁ ଲକ୍ଷ୍ୟ ରଖି ଜାଲ ବିଛାଇଥିବା ଅର୍ଚ୍ଚନା ସେସବୁକୁ ଗୁପ୍ତ କ୍ୟାମେରାରେ କଏଦ କରିନେଇଥିଲେ। ଶେଷକୁ ସେୟା ମଧ୍ୟ ହେଲା। ଦୁଷ୍କର୍ମ ମାମଲାରେ ଛନ୍ଦିବାକୁ କହି ଅର୍ଚ୍ଚନା ତାଙ୍କୁ ଧମକ ଦେଇଥିଲେ ଓ ଲକ୍ଷାଧିକ ଟଙ୍କା ଦାବି କରିଥିଲେ। ତେବେ ବ୍ୟବସାୟୀ ଜଣକ ବାଧ୍ୟ ହୋଇ ଲକ୍ଷାଧିକ ଟଙ୍କା ଦେଇ ଅର୍ଚ୍ଚନାଙ୍କୁ ଚୁପ୍ କରାଇଥିଲେ। କିନ୍ତୁ ପରେ ପୁଣି ଅର୍ଚ୍ଚନା ଟଙ୍କା ମାଗି ଧମକାଇଲେ। ମାତ୍ର ବ୍ୟବସାୟୀ ନ ଶୁଣିବାରୁ ସେ ଜଣେ ଯୁବତୀଙ୍କୁ ଲଗାଇ ପାହାଳ ଥାନାରେ ଦୁଷ୍କର୍ମ ଅଭିଯୋଗ କଲେ। ଯୁବ ବ୍ୟବସାୟୀ ମଧ୍ୟ ଅର୍ଚ୍ଚନାଙ୍କ ବିରୋଧରେ ବ୍ଲାକ୍ମେଲ୍ କରୁଥିବା ନେଇ ପାଲଟା ଅଭିଯୋଗ କଲେ। ମାତ୍ର ପୁଲିସ ମାମଲାର ଉପଯୁକ୍ତ ତଦନ୍ତ ନକରି ଏକପାଖିଆ ଭାବେ ଦୁଷ୍କର୍ମ ଅଭିଯୋଗରେ ଯୁବ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଏବଂ ଅର୍ଚ୍ଚନାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଚାପି ଦେଲା।
ତେବେ ଏହି ଅଭିଯୋଗକୁ ନେଇ ଖଣ୍ଡଗିରି ଥାନା ପୁଲିସ କହିଛି ଯେ, ପାହାଳ ଥାନାରେ ଗିରଫ ହୋଇଥିବା ଯୁବ ବ୍ୟବସାୟୀ ମାମଲା ସହ ଅର୍ଚ୍ଚନା ନାଗଙ୍କର କୌଣସି ସଂପର୍କ ନାହିଁ। ଗିରଫ ହୋଇଥିବା ବ୍ୟବସାୟୀଙ୍କ ନିକଟରେ କୌଣସି ଗ୍ରହଣଯୋଗ୍ୟ ପ୍ରମାଣ ନାହିଁ। ପାହାଳ ଥାନା ପୁଲିସ ପୀଡ଼ିତା ଯୁବତୀଙ୍କ ଅଭିଯୋଗ ଆଧାରରେ ବ୍ୟବସାୟୀଙ୍କୁ ଦୁଷ୍କର୍ମ ଅଭିଯୁକ୍ତ ଭାବେ କୋର୍ଟ ଚାଲାଣ କରିଥିଲା। ଏବେ କିଛି ଲୋକ ଅର୍ଚ୍ଚନା ନାଁକୁ ଯୋଡ଼ି ମିଛ ଅଭିଯୋଗ ଆଣି ପୁଲିସକୁ ଭୂଆଁ ବୁଲାଇବାକୁ ଉଦ୍ୟମ କରିବେ। କିନ୍ତୁ କେହି ଏମିତି କଲେ, ପୁଲିସ ନିଜ ଆଡ଼ୁ ମାମଲା ରୁଜୁକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
