ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ରାଜ୍ୟର ବହୁଚର୍ଚ୍ଚିତ ବ୍ଲାକବେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୋଳତାଡ ଆରମ୍ଭ କରିଛି। ଗତକାଲି ଇଡି ପକ୍ଷରୁ ଅର୍ଚ୍ଚନା ଓ ତାର ସହଯୋଗୀଙ୍କ ୬ଟି ଠିକଣାରେ ଇଡି ଏକସଙ୍ଗେ ଚଢାଉ କରିଥିଲା। ଏହି ସ୍ଥାନ ମାନଙ୍କକରେ ଥିଲା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରର ଠିକଣା ମଧ୍ୟ ରହିଥିଲା। ତେବେ ଚଢ଼ାଉ ପରେ ସନ୍ଧ୍ୟାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରକୁ ଉଠାଇ ନେଇଛି ଇଡି। ଖଗେଶ୍ୱରଙ୍କ ଗାଁ ବାଲିପାଟଣାର ଗଙ୍ଗେଶ୍ୱରରୁ ତାଙ୍କୁ ଉଠାଇନେଇଥିବା ସୂଚନା ମିଳିଛି। ଖଗେଶ୍ୱରକୁ ଉଠାଇନେଇ ଏବେ ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ପଚରାଉଚରା ପରେ ଖଗେଶ୍ୱରକୁ ଇଡି ଗିରଫ ମଧ୍ୟ କରିପାରେ।
ତେବେ ଅର୍ଚ୍ଚନା ନାଗ ମାମଲାରେ ଗତକାଲି ତାଙ୍କର କଳାହାଣ୍ଡିର କେସିଙ୍ଗା ସ୍ଥିତ ପୈତୃକ ବାସଭବନ, ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘର, ଜଳେଶ୍ୱରରେ ଥିବା ଅର୍ଚ୍ଚନାଙ୍କ ଶାଶୁଘରେ ଏକକାଳୀନ ଚଢ଼ଉ କରିଛି। କେବଳ ଏହି ୩ଟି ସ୍ଥାନ ନୁହେଁ, ବ୍ଲାକମେଲିଂ ଅଭିଯୋଗ ଆଣି ଅର୍ଚ୍ଚନା ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ପୀଡ଼ିତାଙ୍କ କଟକ ସ୍ଥିତ ବାଙ୍କି ଘରେ ମଧ୍ୟ ଇଡି ଚଢ଼ଉ କରିଛି। ତେବେ ଚଢ଼ଉ ବେଳେ କୌଣସି ସ୍ଥାନରେ ଅର୍ଚ୍ଚନା କିମ୍ବା ସ୍ୱାମୀ ଜଗବନ୍ଧୁଙ୍କ ନିକଟ ସଂପର୍କିୟଙ୍କ ପତ୍ତା ପାଇନଥିଲା ଇଡି।
ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରଙ୍କ ସେକେଣ୍ଡ ହ୍ୟାଣ୍ଡ୍ କାର୍ ବିଜନେସ୍ରେ କେତେ ଅର୍ଥ ବିନିଯୋଗ କରିଛନ୍ତି ନାଗ-ଚାନ୍ଦ ଦମ୍ପତି ? ଏ ସବୁର ଖୋଳତାଡ଼ କରି ଖଗେଶ୍ୱରଙ୍କ ଭିଙ୍ଗାରପୁର କୁରାଙ୍ଗ ଶାସନ ସ୍ଥିତ ଗଙ୍ଗେଶ୍ୱର ଘରେ, ଭୁବନେଶ୍ୱର ହଂସପାଳ ଓ ରସୁଲଗଡ଼ ସ୍ଥିତ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ସୋ ରୁମ୍ରେ ଇଡି ରେଡ୍ କରିଥିଲା। ରସୁଲଗଡ଼ରେ ୨୦୧୦ରୁ ୨୦୧୯ ଯାଏଁ ଖଗେଶ୍ୱର ପୁରୁଣା ଗାଡ଼ି ବ୍ୟବସାୟ କରୁଥିଲେ। ୨୦୧୯ ପରେ ଖଗେଶ୍ୱର ନିଜ ବ୍ୟବସାୟକୁ ହଂସପାଳ ଉଠାଇ ନେଇଥିଲେ।
ଇଡିର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ଆକାଉଣ୍ଟ ବଦଳରେ ଅର୍ଚ୍ଚନା ହାତାହାତି କ୍ୟାସ୍ କାରବାର କରିଥିଲେ। ତା’ସହ ଆର୍ଥିକ କାରବାର ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ମିଳିଛି। ଆଶଙ୍କା କରାଯାଉଛି, ବହୁ ପ୍ରଭାବଶାଳୀ ନେତା, ମନ୍ତ୍ରୀ ଓ ସରକାରୀ ବାବୁଙ୍କ ଲିଙ୍କ୍ ରହିଛି।
