ସଂସଦରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ; ସିବିଆଇ ତଦନ୍ତ ଦାବି କଲେ ବରଗଡ ସାଂସଦ ସୁରେଶ ପୂଜାରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗ ମାମଲା ସଂସଦରେ ଉଠିଛି। ବିଜେପିର ବରିଷ୍ଠ ନେତା ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ଏହି ପ୍ରସଙ୍ଗ ଲୋକସଭାରେ ଉଠାଇଛନ୍ତି। ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ମାମଲାରେ ଅନେକ ବଡ ବଡ ନେତା, ଅଫିସର, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକଙ୍କ ନାଁ ସାମ୍ନାକୁ ଆସିଛି।ତେଣୁ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଶ୍ରୀ ପୂଜାରୀ ଦାବି କରିଛନ୍ତି।

ସଂସଦ ବାହାରେ ଶ୍ରୀ ପୂଜାରୀ କହିଛନ୍ତି ଯେ, ଅର୍ଚ୍ଚନା ନାଗ ମାମଲାରେ ଇଡି କେବଳ ଅର୍ଥ ହେରଫେର୍‌ର ତଦନ୍ତ କରୁଛି। କେଉଁଠୁ ଟଙ୍କା ଆସିଲା? କିଏ ସବୁ ଟଙ୍କା ଦେଲେ? ଯେଉଁମାନେ ଟଙ୍କା ଦେଇଛନ୍ତି, ସେମାନେ କେମିତି ଟଙ୍କା ଉପାର୍ଜନ କଲେ? ଇଡି ତାହାରି ଉପରେ ତଦନ୍ତ କରିବ। କିନ୍ତୁ ମୂଳ ବିଷୟ ହେଉଛି, ମୋଟାମୁଟି ଗୋଟିଏ ସେକ୍ସ ରାକେଟ୍‌ ଚାଲିଥିଲା। ଆଉ ସେଥିରେ ବଡ଼ବଡ଼ ରାଜନେତା, ବେପାରୀ, ଫିଲ୍ମ ପ୍ରଯୋଜକ, ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ନାଁ ସାମ୍ନାକୁ ଆସୁଛି। ରାଜ୍ୟର ଯେତେ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି, ସେମାନେ ସମସ୍ତେ ସ୍କାନରରେ। ସେମାନେ ଟ୍ରାପ୍‌ ହୋଇଛନ୍ତି। ଇଣ୍ଡିଆନ୍‌ ପେନାଲ୍‌ କୋର୍ଡ ଅନୁସାରେ ସେମାନଙ୍କର ବିଚାର ହେବା କଥା। ଯେଉଁ ଅର୍ଥ ସେମାନେ ଦେଇଛନ୍ତି, ତାହା ସେମାନେ ଆଣିଲେ କେଉଁଠୁ? ଏହାର ଚେର ପର୍ଯ୍ୟନ୍ତ ଯିବାକୁ ହେଲେ ଲମ୍ୱା ତଦନ୍ତର ଆବଶ୍ୟକତା ରହିଛି। ଏଥିରେ ଯେଉଁମାନଙ୍କୁ ନାଁ ଉଠୁଛି, ସେମାନଙ୍କର ଲାଏ ଡିଟେକ୍‌ସନ୍‌ ଟେଷ୍ଟ ହେବା କଥା। ଏଭଳି ଜଟିଳ ମାମଲାକୁ କେବଳ ସିବିଆଇ ତଦନ୍ତ କରିପାରିବ। ଏଥିରେ ମୁଖ୍ୟମନ୍ତ୍ରୀ ଆପତ୍ତି ଉଠାଇବାର ନାହିଁ। କାରଣ ସେମାଙ୍କର ଏଥିରେ ସମ୍ପୃକ୍ତି ନାହିଁ। ଏହି ମାମଲାରେ ସତ ପଦାକୁ ଆସୁ। ଆଉ ଯେଉଁମାନେ ରାଜନେତାର ମୁଖା ପିନ୍ଧି ଏଭଳିଆ ଅପକର୍ମ କରୁଛନ୍ତି, ସେମାନଙ୍କ ନାଁ ଜନସାଧରଣ ଜାଣିବା ଦରକାର ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ପୁଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁରେଶ ପୂଜାରୀ। ଓଡ଼ିଶା ପୁଲିସ ତଦନ୍ତ କଲେ ତଦନ୍ତ ବାଟବଣା ହେବାର ସମ୍ଭାବନା ଅଛି। ଅର୍ଚ୍ଚନାଙ୍କ ସହ ଏଥିରେ ସଂପୃକ୍ତ ସମସ୍ତଙ୍କର ଲାଇ ଡିଟେକ୍ସନ ଟେଷ୍ଟ ହେଉ ବୋଲି ଶ୍ରୀ ପୂଜାରୀ ଦାବି କରିଛନ୍ତି। ଏହାସହିତ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ସୁରେଶ ପୂଜାରୀ । ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର କରାଯାଉ ବୋଲି ସେ ଗୃହରେ ଦାବି କରିଛନ୍ତି ।

ତେବେ ଗତ କିଛି ଦିନ ହେଲା ରାଜ୍ୟରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛନ୍ତି ଅର୍ଚ୍ଚନା ନାଗ। ତେବେ ଏହାରି ଭିତରେ ଇଡି ଅର୍ଚ୍ଚନା ଓ ବିଜନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଛି। ତେବେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ରିମାଣ୍ଡରେ ନେଇଛି ଇଡି।

Related Posts