ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗାଏବ ଥିବା ଫୋର୍ଡ ଏଣ୍ଡେଭର କାରଟି ମିଳିଛି। ଭୁବନେଶ୍ବର ଉପକଣ୍ଠ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଏହି କାରଟି ଜବତ ହୋଇଛି। ପରିତ୍ୟକ୍ତ ଅବସ୍ଥାରେ ଏହି ଧଳା ରଙ୍ଗର କାରଟି ରାସ୍ତା କଡରେ ଛିଡା ହୋଇଥିଲା। କିନ୍ତୁ କାରର ନମ୍ବର ପ୍ଲେଟ କାଢି ନିଆଯାଇଥିଲା। ସ୍ଥାନୀୟ ଲୋକଙ୍କଠୁ ସୂଚନା ମିଳିବା ପରେ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହୋଇଥିଲା।
ଏହାପରେ ଇଡିର ତିନି ଜଣିଆ ଅଧିକାରୀ ଆସି ପହଞ୍ଚି ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ କାରଟି ଲକ୍ ହୋଇଥିବାରୁ ଖୋଲି ହୋଇନଥିଲା। ତେଣୁ ଇଡି ପାଖରେ ଥିବା କାରର ରେଜିଷ୍ଟ୍ରେସନ ନମ୍ବରକୁ ଚେକ୍ କରିବା ପରେ ଜଣାପଡିଛି ଏହି ଫୋର୍ଡ କାର ଅର୍ଚ୍ଚନା ନାଗଙ୍କର। ଏହି ମାମଲାରେ ଇଡିର ତଦନ୍ତ ଅଧିକାରୀ କହିଛନ୍ତି, ଇଡି ପାଖରେ କାରଟିର ରେଜିଷ୍ଟ୍ରେସନ ନମ୍ବର ଥିଲା। ପରେ ସେହି ନମ୍ବରଟିକୁ କାରର ଚେଚିସ ନମ୍ବର ସହିତ ମେଳାଇବା ପରେ ସମାନ ରହିଛି। ଯାହା MAJAXXMRWALY62353 ରହିଛି।
ଇଡି ପ୍ରାଥମିକ ସାକ୍ଷୀଙ୍କ ଆଧାରରେ ସ୍ଥାନୀୟ ପୁଲିସକୁ ସୂଚନା ଦେଇ କାରଟିକୁ ଜବତ କରିଛି। ଏବେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ଏହି କାରଟିକୁ ଏଠାରେ କିଏ ରଖିଲା। ଶୁକ୍ରବାର ଦିନ ଇଡି ଅଧିକାରୀ ଏହି କାରଟି କିଣାଯାଇଥିବା ମଞ୍ଚେଶ୍ବର ସ୍ଥିତ କ୍ୟାପିଟାଲ ଫୋର୍ଡ କାର ସୋରୁମର ମାଲିକଙ୍କ ପୁଅକୁ ଜେରା କରିଥିଲା। ଏହାପରେ କାରଟି ଆସି ଏହି ସ୍ଥାନରେ ରହିଥିବା ସୂଚନା ରହିଛି। ଯେହେତୁ ଏହି ମାମଲାରେ ଇଡି ତଦନ୍ତ କରୁଛି ଏବଂ କାର କିଣିବାରେ ୩୩ ଲକ୍ଷ ଟଙ୍କା ନଗଦ କାରବାର ହେଉଛି। ଏପରି ସ୍ଥିତିରେ ସୋରୁମ ମାଲିକ ମଧ୍ୟ ଏବେ ଇଡି ସ୍କାନରରେ ରହିଛନ୍ତି।
ତେବେ ମଞ୍ଚେଶ୍ବର ଥାନା ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କହିଛନ୍ତି, ଯିଏ ଏହି କାରଟିକୁ ଏଠାରେ ଛାଡି ଯାଇଥିବେ ସେ ତଦନ୍ତ ପରିସରଭୁକ୍ତ ହେବେ। ପାଖରେ ଥିବା ସିସିଟିଭି ଯାଞ୍ଚ କରି ସେହି ବ୍ୟକ୍ତିଙ୍କୁ ଧରିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି।
