ବାଲେଶ୍ବର(ସତ୍ୟପାଠବ୍ୟୁରୋ)-ଏଟିଏମ ତାଡ଼ି ନେଲେ ଦୁର୍ବୃତ୍ତ। ତାହା ପୁଣି ଏକ ଥାର ଗାଡ଼ି ପୁରା ଏଟିଏମ ମେସିନକୁ ଘୋଷାଡ଼ି ଘୋଷାଡ଼ି ନେଇଛନ୍ତି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ବଜାରରେ। ଦୁର୍ବୃତ୍ତମାନେ ଗୋଟିଏ କଳା ରଙ୍ଗର ‘ମହିନ୍ଦ୍ରା ଥାର’ ଗାଡ଼ି ସାହାଯ୍ୟରେ ‘ଇଣ୍ଡିଆ ୱାନ’ ଏଟିଏମ୍ ମେସିନକୁ ଉପାଡ଼ି ନେଇଛନ୍ତି । କିଛି ମିନିଟ୍ ମଧ୍ୟରେ ଦୁର୍ବୃତ୍ତମାନେ ଏହାକୁ ନିଜ ଥର ଗାଡ଼ିରେ ରଶି ବାନ୍ଧି ଟାଣି ନେଇ ଯାଇଥିଲେ ଏବଂ ଭିତରେ ଥିବା ଟଙ୍କା ନେଇ ପଳାଇ ଯାଇଥିଲେ। ଖଇରା ପୋଲିସ ଷ୍ଟେସନ ଅଧୀନରେ ଘଟିଥିବା ଏହି ଲୁଟ ଘଟଣା ସିସିଟିଭିରେ ସମ୍ପୂର୍ଣ୍ଣ କଏଦ ହୋଇଛି। ଶନିବାର ସକାଳେ ପୋଲିସ ପହଞ୍ଚି ପୁରା ଘଟଣାର ଛାନଭିନ୍ ଆରମ୍ଭ କରିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ପାଞ୍ଚ ଜଣରୁ ଅଧିକ ଲୋକ ଏକ କଳା ଥାରରେ ଆସି ଏଟିଏମ କିଓସ୍କରେ ପହଞ୍ଚିଥିଲେ। ସେମାନେ ପ୍ରଥମେ କିଓସ୍କ ଭାଙ୍ଗି ମେସିନକୁ ଉପାଡ଼ି ଦେଇଥିଲେ, ଏହାକୁ ନିଜ ଗାଡ଼ିରେ ରଶି ସାହାଯ୍ୟରେ ବାନ୍ଧି ରାସ୍ତା ପାର୍ଶ୍ୱରେ ଏକ ନିର୍ଜନ ସ୍ଥାନକୁ ଟାଣି ନେଇଥିଲେ। ଚୋରମାନେ ସେହି ସ୍ଥାନରେ ଏଟିଏମ ମେସିନକୁ ଭାଙ୍ଗି ସମସ୍ତ ଟଙ୍କା ବାହାର କରି ପଳାଇ ଯାଇଥିଲେ, କ୍ଷତିଗ୍ରସ୍ତ ମେସିନକୁ ରାସ୍ତା ମଝିରେ ଛାଡି ଦେଇଥିଲେ। ଏଟିଏମରୁ ଲୁଟ ହୋଇଥିବା ଟଙ୍କାର ସଠିକ ପରିମାଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସିସିଟିଭି ଫୁଟେଜରେ ଡକାୟତି କିପରି ଘଟିଥିଲା ତାହାର ବିସ୍ତୃତ ଚିତ୍ର ଦେଖିବାକୁ ମିଳିଥିବାବେଳେ ଏଭଳି ବଡ଼ ଧରଣ ଲୁଟ ପୂର୍ବରୁ କେବେ ନଥିବା ଚର୍ଚ୍ଚା ହେଉଛି।
