ଅଲମ୍ପିକରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ନାମରେ ନାମିତ ହେଲା ଆର୍ମି ଷ୍ଟାଡ଼ିୟମ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରାଙ୍କ ନାଁ ରେ ଷ୍ଟାଡିୟମ୍ ନାଁ ରଖିଲା ଭାରତୀୟ ସେନା। ଶୁକ୍ରବାର ଦିନ ପୁଣେ କ୍ୟାଣ୍ଟର ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟରେ ଷ୍ଟାଡିୟମର ନାମ ନୀରଜଙ୍କ ନାମରେ ନାମିତ କରି ସମ୍ମାନିତ କରିଛନ୍ତି ।

ନୀରଜ ଚୋପ୍ରା ଷ୍ଟାଡିୟମ, ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟ (ଏଏସଆଇ), ପୁଣେ କ୍ୟାଣ୍ଟକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଦଘାଟନ କରିଛନ୍ତି। ଏହି ଅବସରରେ ନୀରଜ ଚୋପ୍ରା ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ରାଜନାଥ ସିଂ ଟ୍ୱିଟ୍ କରି କହିଛନ୍ତି ଯେ , ” ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ପାଇଁ ଆଜି ପୁଣେର ସେନା ସ୍ପୋର୍ଟସ ଇନଷ୍ଟିଚ୍ୟୁଟରେ ସୁବେଦାର ନୀରଜ ଚୋପ୍ରାଙ୍କୁ ସମ୍ମାନିତ କରାଯାଇଛି।  ସେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି । ବର୍ତ୍ତମାନ ଏଏସଆଇ ତାଙ୍କ ନାମରେ ଷ୍ଟାଡିୟମର ନାମ ରଖାଯାଇଛି। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତର  କାମନା କରୁଛି ।”

ନୀରଜ ଚୋପ୍ରା ମଧ୍ୟ ASI କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଏହା ଖେଳକୁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ଚୋପ୍ରା ତାଙ୍କ ଟ୍ୱିଟ୍‌ରେ କହିଛନ୍ତି ଯେ ,” ଆମ ଦେଶକୁ ଗର୍ବିତ କରିବା ପାଇଁ ଏବଂ ଅନ୍ୟ ଆଥଲେଟ୍ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା କରୁଛି।  ଧନ୍ୟବାଦ, ASI ପୁଣେ।” 

ସୂଚନାଯୋଗ୍ୟ ଯେ , ଏଥର ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଥିଲେ ଆଥଲେଟ୍ ନୀରଜ ଚୋପ୍ରା । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଇତିହାସ ରଚିଥିଲେ । ବ୍ୟକ୍ତିଗତ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ଏବଂ ଆଥଲେଟରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜ୍ଜନ କରିଥିଲେ ନୀରଜ । 

ନୀରଜ ନିଜର ପ୍ରଥମ ଥ୍ରୋରେ ୮୭. ୦୩ ମିଟର, ଦ୍ୱିତୀୟ ଥ୍ରୋରେ ୮୭. ୫୮ ଯଏବଂ ତୃତୀୟ ଥର ସେ ୭୬. ୭୯ ମିଟର ଜାଭଲିନ ଫିଙ୍ଗି ବିଜୟ ହାସଲ କରିଥିଲେ ।ତେବେ ସବୁଠାରୁ ରୋମାଞ୍ଚକର ବିଷୟ ହେଉଛି ନୀରଜ ପ୍ରତି ଥ୍ରୋରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ସବା ଆଗରେ ରହିଥିଲେ । ପ୍ରତି ଥର ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ । ଭାରତୀୟ ସେନାର ରାଜପୁତନା ରାଇଫଲ୍ସରେ ସୁବେଦାର ଭାବେ କାର୍ଯ୍ୟ କରୁଥିବା ନୀରଜ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ।

Related Posts