ଛତିଶଗଡ କଂଗ୍ରେସରେ ଘମାସାନ : ଅଢେଇ – ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ଫର୍ମୁଲା ମାନିବା ପାଇଁ ବାଘେଲଙ୍କୁ ହାଇ କମାଣ୍ଡଙ୍କ ପରାମର୍ଶ – ସୂତ୍ର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛି ଦିନ ହେବ ଛତିଶଗଡ କଂଗ୍ରେସରେ ବିବାଦ ଲାଗି ରହିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓ ଦିଲ୍ଲୀ ଆସି ରାହୁଲ ଗାନ୍ଧିଙ୍କ ସହ ବୈଠକ କରିଥିଲେ।

ସୂଚନାନୁସାରେ, କଂଗ୍ରେସ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଅଢେଇ ଅଢେଇ ବର୍ଷ ଫର୍ମୁଲା ମାନିବା ପାଇଁ କହିଛନ୍ତି। ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଆଲୋଚନା ମଧ୍ୟରେ ସିଏମ୍ ବାଘେଲ ଗତକାଲି ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ବାଘେଲ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ଅନୁଯାୟୀ ରାହୁଲ ଗାନ୍ଧୀ ଆସନ୍ତା ସପ୍ତାହରେ ଛତିଶଗଡ଼ ଗସ୍ତରେ ଆସିବେ। ରାହୁଲ ଗାନ୍ଧୀଙ୍କ ସହ ପ୍ରାୟ ସାଢେ ତିନି ଘଣ୍ଟାର ମାରାଥନ ବୈଠକ ପରେ ବାଘେଲ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । କଂଗ୍ରେସର ଛତିଶଗଡର ଦାୟିତ୍ୱରେ ଥିବା ପିଏଲ ପୁନିଆ ଗତ କିଛି ଦିନ ତଳେ ଯାହା କହିଥିଲେ ତାହା ପରେ ଆଉ କିଛି କହିବାର ନାହିଁ।

ମଙ୍ଗଳବାର ଦିନ ରାହୁଲ ଗାନ୍ଧୀଙ୍କ ସହ ବାଘେଲ ଏବଂ ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେଓଙ୍କ ସାକ୍ଷାତ ପରେ ପୁନିଆ କହିଥିଲେ ଯେ ନେତୃତ୍ୱ ପରିବର୍ତ୍ତନ ନେଇ କୌଣସି ଆଲୋଚନା ହୋଇନାହିଁ। ବାଘେଲ ଏହା ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସହ ହୋଇଥିବା ବୈଠକରେ ରାଜ୍ୟର ବିକାଶ ସହ ଜଡିତ ରାଜନୈତିକ ପ୍ରସଙ୍ଗ ଏବଂ ଯୋଜନା ଉପରେ ଆଲୋଚନା କରାଯାଇଛି। ତାଙ୍କ କହିବାନୁସାରେ, ବର୍ତ୍ତମାନ ଗୁଜୁରାଟ ମଡେଲ ବିଫଳ ହୋଇଛି ଏବଂ ଏଭଳି ପରିସ୍ଥିତିରେ ଛତିଶଗଡ ମଡେଲକୁ ଦେଶ ସାମ୍ନାରେ ଉପସ୍ଥାପନ କରିବାକୁ ପଡିବ।

ଯେପର୍ଯ୍ୟନ୍ତ ହାଇ କମାଣ୍ଡ ଚାହିଁବେ ମୁଁ CM ରହିବି – ବାଘେଲ 

ରାହୁଲ ଗାନ୍ଧୀଙ୍କ ବାସଭବନରେ ପ୍ରାୟ ସାଢେ ତିନି ଘଣ୍ଟା ଧରି ଚାଲିଥିବା ବୈଠକରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ, ସଂଗଠନ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଏବଂ ପିଏଲ ପୁନିଆ ଉପସ୍ଥିତ ଥିଲେ।  ବୈଠକ ପରେ ବାଘେଲ କହିଛନ୍ତି, ମୁଁ ମୋର ନେତାଙ୍କୁ ମୋର ହୃଦୟ କଥା କହିଛି। ହାଇକମାଣ୍ଡ ମୋ କଥା ଶୁଣିଛନ୍ତି ଯେପର୍ଯ୍ୟନ୍ତ ହାଇ କମାଣ୍ଡ ଚାହିଁବ ମୁଁ ମୁଖ୍ୟମନ୍ତ୍ରୀ ରହିବି ବୋଲି ବାଘେଲ କହିଛନ୍ତି ।

ସିଏମ୍ ବାଘେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂଦେଓଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ଦୃଷ୍ଟିରେ ରଖି ବିଧାୟକମାନେ ଦିଲ୍ଲୀରେ ପହଞ୍ଚିବା ପରେ ଚର୍ଚ୍ଚା ଜୋର ଧରିଛି ଯେ କଂଗ୍ରେସ ହାଇକମାଣ୍ଡଙ୍କୁ ଶକ୍ତି ପ୍ରଦର୍ଶନ କରିବାକୁ ଉଦ୍ୟମ ଚାଲିଛି, କିନ୍ତୁ ବାଘେଲଙ୍କ ଘନିଷ୍ଠ ବନ୍ଧୁମାନେ ଏହାକୁ ଅସ୍ୱୀକାର କରିଛନ୍ତି ।। ସେ କହିଛନ୍ତି ଯେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ଶକ୍ତି ପ୍ରଦର୍ଶନ ଭଳି କିଛି କଥା ନାହିଁ।

ସିଏମ୍ ବାଘେଲ କହିଛନ୍ତି ଯେ ଅଢେଇ ବର୍ଷର ମୁଖ୍ୟମନ୍ତ୍ରୀ ଫର୍ମୁଲା କୁ ନେଇ ଯେଉଁମାନେ ଜପ କରୁଛନ୍ତି ସେମାନେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଆଣିବାକୁ ଚେଷ୍ଟା କରୁଛନ୍ତି, ଯେଉଁଥିରେ ସେମାନେ କଦାପି ସଫଳ ହେବେ ନାହିଁ। ଡିସେମ୍ବର 2018 ରେ ଛତିଶଗଡରେ କଂଗ୍ରେସ ସରକାର ଗଠନ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ବାଘେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସିଂହଦେଓଙ୍କ ମଧ୍ୟରେ ସମ୍ପର୍କ ସେତେଟା ଭଲ ନାହିଁ। ସିଂହଦେଓଙ୍କ ସମର୍ଥକମାନେ କହିଛନ୍ତି ଯେ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ହେବା ନେଇ ଏକ ଚୁକ୍ତି ହୋଇଥିଲା, ତେଣୁ ବଘେଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି ତେଣୁ ବର୍ତ୍ତମାନ ସିଂଦେଓଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ୍।

Related Posts