କାବୁଲ ବ୍ଲାଷ୍ଟର ବଦଲା ନେଲା ଆମେରିକା : ୪୮ ଘଣ୍ଟା ମଧ୍ୟରେ ଆଇଏସ୍‌ ଆଡ୍ଡା ଉପରେ ଡ୍ରୋନ୍ ଷ୍ଟ୍ରାଇକ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ବିସ୍ଫୋରଣ ଆମେରିକା ସମେତ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଘୋଷଣା କରିଥିଲେ ଯେ ଆତଙ୍କୀଙ୍କୁ ଖୋଜି ଖୋଜି ଶାସ୍ତି ଦେବୁ। ତେବେ ଘଟଣାର ୪୮ ଘଣ୍ଟା ମଧ୍ୟରେ କାବୁଲ ବ୍ଲାଷ୍ଟର ବଦଲା ନେଇଛି ଆମେରିକା। ଅନ୍ତର୍ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ ଆଇସଏସ୍‌ ଆତଙ୍କୀ ସଂଗଠନର ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି।

ପେଣ୍ଟାଗନ୍ ଅନୁଯାୟୀ, କାବୁଲ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡକୁ ମାନବ ବିହୀନ ବିମାନ ମାଧ୍ୟମରେ ଆଇଏସ୍ ବେସକୁ ଡ୍ରୋନ୍ ଷ୍ଟ୍ରାଇକ୍ କରାଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖପାତ୍ର କହିଛନ୍ତି ଯେ ଆଫଗାନିସ୍ତାନର ନାନଗହର ପ୍ରଦେଶରେ ଏହି ଆମେରିକା ପକ୍ଷରୁ ଏହି ଏୟାରଷ୍ଟ୍ରାଇକ୍ କରାଯାଇଛି । ପେଣ୍ଟାଗନ୍ ମୁଖପାତ୍ର କହିଛନ୍ତି ଯେ ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ଟାର୍ଗେଟ (କାବୁଲ ଆକ୍ରମଣର ମାଷ୍ଟରମାଇଣ୍ଡ) ନିହତ ହୋଇଥିବାବେଳେ ସାଧାରଣ ନାଗରିକ ଆହତ ହୋଇନାହାଁନ୍ତି।ତେବେ ଏହି ଆକ୍ରମଣରେ ଆତଙ୍କବାଦୀ ନିହତ ହୋଇଥିବା ବେଳେ କୌଣସି ସାଧାରଣ ଲୋକ ମୃତାହାତ ହୋଇନଥିବା ଆମେରିକା ପକ୍ଷରୁ ଦାବି କରାଯାଉଛି । ଅପରପକ୍ଷରେ ଆମେରିକୀୟ ନାଗରିକଙ୍କୁ ଯଥାଶୀଘ୍ର କାବୁଲ ଏୟାରପୋର୍ଟ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ଆଫଗାନିସ୍ତାନ ବୋମା ବିସ୍ଫୋରଣରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ୍ । ଘଟଣାକୁ ଆମେରିକା ଭୁଲିବ ନାହିଁ କି ସେମାନଙ୍କୁ କ୍ଷମା ଦେବନାହିଁ ବୋଲି  ବାଇଡେନ୍ କହିଥିଲେ । ଏଥିସହ ଆକ୍ରମଣକାରୀଙ୍କ ବିପକ୍ଷରେ ପ୍ରତିଆକ୍ରମଣ କରିବା ଲାଗି ମଧ୍ୟ ସେ ‘ପେଣ୍ଟାଗନ୍‌’କୁ ନିର୍ଦ୍ଦେଶ ଦେଇଥିଲେ  । ଆଉ ଘଟଣାର ୪୮ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଇଛି ପେଣ୍ଟାଗନ୍ । ତେବେ କାବୁଲ ବିସ୍ଫୋରଣ ସତ୍ତ୍ୱେ ଆମେରିକା ପ୍ରାୟ ୭,୫୦୦ ଜଣଙ୍କୁ ଏୟାରଲିଫ୍ଟ କରିଛି। ତାଲିବାନ ଆମେରିକା ସେନାକୁ ଅଗଷ୍ଟ ୩୧ ସୁଦ୍ଧା କାବୁଲ ଛାଡ଼ିବାକୁ କହିଛି। ଏହାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟକୁ ଆମେରିକା ପକ୍ଷରୁ ତ୍ୱରାନ୍ୱିତ କରାଯାଇଛି।

ସୂଚନାଯୋଗ୍ୟ, ଗୁରୁବାର କାବୁଲ ଏୟାରପୋର୍ଟ ନିକଟରେ ହୋଇଥିବା ସିରିଜ୍ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୮୦କୁ ବୃଦ୍ଧି ପାଇଛି। ଏବେ ବି ଶହଶହ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ଆମେରିକାର ୧୩ ଜଣ ସେନା ଯବାନ ରହିଛନ୍ତି। 

Related Posts