ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହିଷ୍କୃତ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଏବେ ଇଡି ସାମ୍ନାରେ ପାର୍ଥଙ୍କ କଳା କାରନାମାର ଗୁମର ଖୋଲୁଛନ୍ତି। ଇଡି ଜେରା ସମୟରେ ପାର୍ଥ କିଭଳି ଟଙ୍କା ଓ ସୁନା ଜମା କରୁଥିଲେ ସେ ବାବଦରେ ବିସ୍ତୃତ ଭାବେ କହିଛନ୍ତି ଅର୍ପିତା। କୋଲକାତାରେ ତାଙ୍କର ୨ଟି ଆପାର୍ଟମେଣ୍ଟରେ ପାର୍ଥ ହିଁ ଟଙ୍କା ରଖିଥିଲେ ଏବଂ ସେ ଉକ୍ତ ଟଙ୍କାର ପରିମାଣ ସଂପର୍କରେ ଆଦୌ ଜାଣିନଥିଲେ ବୋଲି ଅର୍ପିତା ଇଡିକୁ କହିଛନ୍ତି।ପାର୍ଥ ଟଙ୍କା ରଖବା ପରେ ସର୍ବଦା ଉକ୍ତ ରୁମ୍ର ଚାବି ନିଜେ ହିଁ ରଖୁଥିଲେ ଏବଂ ନିଜେ ହିଁ ସେ ରୁମକୁ ଖୋଲୁଥିଲେ। ଅନ୍ୟ କେହି ସେ ରୁମ୍କୁ ଯାଇନାହାନ୍ତିକି କେତେ ଟଙ୍କା ଥିଲା ତାହା ମଧ୍ୟ ଅନ୍ୟ କେହି ଜାଣିନାହାନ୍ତି ବୋଲି ଅର୍ପିତା ତଦନ୍ତକାରୀ ଅଧିକାରୀଙ୍କୁ କହିଛନ୍ତି।
ପାର୍ଥ ତାଙ୍କ ଫ୍ଲାଟ୍ରେ ରଖିଥିବା ଦସ୍ତାବିଜଗୁଡ଼ିକ ସଂପର୍କରେ ମଧ୍ୟ ଅର୍ପିତା ଇଡିକୁ କେତେକ ଗୁରୁତ୍ବପୂର୍ଣ୍ଣ ସୁରାକ୍ ଦେଇଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତିଠାରୁ ଆରମ୍ଭ କରି ବଦଳି ଓ ବଦଳି ବାତିଲ, ଠିକା କାର୍ଯ୍ୟ ଏବଂ ବିଭିନ୍ନ ଅନୁଷ୍ଠାନକୁ ସ୍ବୀକୃତି ଦେବା ପାଇଁ ବିପୁଳ ଲାଞ୍ଚ କାରବାର ହେଉଥିଲା ବୋଲି ଅର୍ପିତା ଇଡି ସାମ୍ନାରେ ସ୍ୱୀକାର କହିଛନ୍ତି।
