କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ କ୍ରୁଟ୍ ଦାୟିତ୍ବ

ଭୁବନେଶ୍ୱର,୭/୬(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ ଓ ପୋଲିସ ସେବା ଅଧିକାରୀଙ୍କର ଛୋଟ ଧରଣ ଅଦଳବଦଳ କରିଛନ୍ତି ।କ୍ରାଇମବ୍ରାଞ୍ଚ ଏଡିଜି ତଥା ବରିଷ୍ଠ ଆଇପିଏସ ଅଫିସର ଅରୁଣ ବ୍ରୋଥାଙ୍କୁ ପୁଣି ଥରେ କ୍ରୁଟ ଦାୟିତ୍ୱ ମିଳିଛି । ସେହିପରି ପରିବହନ କମିଶନର ଭାବେ କାର୍ଯ୍ୟରତ ଅମିତାଭ ଠାକୁରଙ୍କୁ ଜେଲ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁସାରେ ୧୯୯୬ ବ୍ୟାଚର ଆଇପିଏସ ଅରୁଣ ବ୍ରୋଥାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ କରୁଥିବା ଅରୁଣଙ୍କୁ ପୁଣି ଥରେ କ୍ରୁଟ ଦାୟିତ୍ୱ ହସ୍ତାନ୍ତର ହୋଇଛି । କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ।

କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଅଧୀନରେ ମୋ ବସ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପୁରୀକୁ ଚଳପ୍ରଚଳ କରୁଛି । ଗତ ୨୦୧୯ ମସିହାରେ କ୍ରୁଟର ପରିଚାଳନା ଦାୟିତ୍ୱରେ ଥିଲେ ଅରୁଣ ବୋଥ୍ରା । ତେବେ ତାଙ୍କୁ ଗତବର୍ଷ କ୍ରୁଟ ଦାୟିତ୍ୱରୁ ହଟାଇ ଦେଇଥିଲେ ସରକାର । ଗତବର୍ଷ ତାଙ୍କୁ ପରିବହନ କମିଶନ ଭାବେ ବଦଳି କରାଯାଇଥିଲା । ରାଜ୍ୟ ସରକାର ପୁଣି ଥରେ ଅରୁଣ ବୋଥ୍ରାଙ୍କୁ ଏହି ଦାୟିତ୍ବ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ସହ ଏହି ଅତିରିକ୍ତ ଦାୟିତ୍ବ ତୁଲାଇବେ ।

ବିଏମସି କମିଶନର ତଥା ୨୦୧୩ ବ୍ୟାଚର ଆଇଏଏସ ବିଜୟ ଅମୃତ କୁଲାଙ୍ଗେ ଏବେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ଅରୁଣ ଦାୟିତ୍ୱ ନେବା ଦିନ ହିଁ ବିଜୟଙ୍କ ଏହି ଅତିରିକ୍ତ ଦାୟିତ୍ୱ ରଦ୍ଦ ହେବ । ଆଉ ଏକ ବଡ଼ ନିଷ୍ପତ୍ତି କ୍ରମେ ଆଇପିଏସ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ ଆଇଜି ଦାୟିତ୍ୱରୁ ହଟାଇ ଦିଆଯାଇଛି । ୧୯୯୭ ବ୍ୟାଚର ଦୀପ୍ତେଶ ଓଏସଆରଟିସି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ଜେଲ ଏଡିଜି ଭାବେ ୧୯୯୮ ବ୍ୟାଚର ଅମିତାଭ ଠାକୁରଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ରାଜ୍ୟ ପରିବହନ କମିଶନର ଭାବେ କାର୍ଯ୍ୟରତ ଅମିତାଭ ଜେଲ ଏଡିଜି କମ ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

Related Posts