ଜୁନ୍ ରେ ଆରମ୍ଭ ହୋଇଥିବା ‘ଆଶୀର୍ବାଦ’ ଯୋଜନା ସେପ୍ଟେମ୍ବର ୧୫ ପରେ ବନ୍ଦ : ଏବେବି ସହାୟତା ଅପେକ୍ଷାରେ ୨୦ ହଜାର ଅନାଥ ଛୁଆ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ସେପ୍ଟେମ୍ବର ୧୫ ତାରିଖ ପରଠାରୁ ପିତାମାତାଙ୍କୁ ହରାଇ ଅନାଥ ହେଉଥିବା ପିଲାମାନେ ଆଶୀର୍ବାଦ ଯୋଜନାରେ ସାମିଲ ହେବା ପରିବର୍ତ୍ତେ ସରକାରଙ୍କ ବିଭିନ୍ନ ଶିଶୁ ସୁରକ୍ଷା ଯୋଜନାରେ ସାମିଲ ହେବେ। ଏ ଆଇସିଡିଏସ୍‍ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଛନ୍ତି । ତେବେ ଯେଉଁମାନେ ଆଶୀର୍ବାଦରେ ସାମିଲ ହୋଇଛନ୍ତି, ସେମାନେ ୧୮ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାର ସବୁ ସୁବିଧା ପାଇବେ ବୋଲି ସ୍ପଷ୍ଟ କରାଯାଇଛି।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଭୟାବହତା କମି ନଥିବା ବେଳେ ଏହି ଯୋଜନାକୁ ଏମିତି ତରବରିଆ ଭାବରେ ସ୍ଥଗିତ ରଖାଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନ୍‌ସିପିସିଆର୍‌ରେ ଦାଖଲ ସତ୍ୟପାଠ ଅନୁସାରେ, ଅଗଷ୍ଟ ୨୩ ତାରିଖ ସୁଦ୍ଧା ଦେଶର ୧ ଲକ୍ଷରୁ ଅଧିକ ଶିଶୁ ନିଜର ଉଭୟ ପିତାମାତାଙ୍କୁ କିମ୍ବା ଜଣେ ଅଭିଭାବକଙ୍କୁ ହରାଇଛନ୍ତି। ୨୦୨୦ ମସିହା ଏପ୍ରିଲ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରାୟ ୩୧ ହଜାର ଶିଶୁ ଉଭୟ ମା, ବାପା କିମ୍ବା ପରିବାରରେ ଜଣେ ରୋଜଗାରିଆ ଅଭିଭାବକଙ୍କୁ ହରାଇଥିବା ଜଣାପଡ଼ିଛି। ତେବେ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ୨୫ ହଜାର ଶିଶୁ ଅଭିଭାବକଙ୍କୁ ହରାଇଥିଲେ। ମାତ୍ର ୧୩ ଦିନରେ ଆହୁରି ୬ ହଜାର ଶିଶୁ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି। ତେବେ ଅନାଥ ପିଲାଙ୍କ ସଂଖ୍ୟା କିଭଳି ଭାବେ ବୃଦ୍ଧି ପାଉଛି ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ଆଜି ସୁଦ୍ଧା କେବଳ ୧୦ ହଜାର ଶିଶୁଙ୍କୁ ହିଁ ଆଶୀର୍ବାଦ ଅନ୍ତର୍ଗତରେ ସହାୟତା ମିଳିଛି। ବାକି ୨୦ ହଜାରରୁ ଅଧିକ ଶିଶୁ ଏବେବି ସହାୟତା ଅପେକ୍ଷାରେ ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ପ୍ରମାଣପତ୍ର ଅଭାବରୁ ବଳକା ୨୦ ହଜାର ପିଲାଙ୍କୁ ଏହି ଯୋଜନାରେ ସାମିଲ କରିବାରେ ବିଳମ୍ବିତ ହେଉଛି। ସେମାନେ ମୃତ୍ୟୁ ପ୍ରମାଣପତ୍ର ଦାଖଲ କଲାପରେ ଆଶୀର୍ବାଦରେ ସହାୟତା ଦିଆଯିବ। କିନ୍ତୁ ସେପ୍ଟେମ୍ବର ମାସ ୧୫ ତାରିଖ ପରେ ଉଭୟ କୋଭିଡ କିମ୍ବା ଅଣକୋଭିଡରେ ଅଭିଭାବକଙ୍କ ମୃତ୍ୟୁ ହେଲେ ‘ଆଶୀର୍ବାଦ’ ଯୋଜନାରେ କୌଣସି ପ୍ରକାର ସହାୟତା ରାଶି ମିଳି ପାରିବ ନାହିଁ ବୋଲି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସରେ ସରକାର ‘ଆଶୀର୍ବାଦ’ ଯୋଜନାର ଘୋଷଣା କରିଥିଲେ। ଉଭୟ ‌କୋଭିଡ୍‌ କିମ୍ବା ଅଣକୋଭିଡ୍‌ ମୃତକଙ୍କ ପାଇଁ ଏହା ଲାଗୁ ହେଉଥିଲା। ଉଭୟ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ମାସିକ ୨୫ ଶହ, ଜଣେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ୧୫ ଶହ ଦେବାର ବ୍ୟବସ୍ଥା ରହିଛି। ଏଥି ସହିତ ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରାବଧାନ ରହିଥିଲା। ଏହି ଯୋଜନା ପ୍ରଣୟନ କରି ରାଜ୍ୟ ସରକାର ବାହା ବା ନେଉଥିଲେ।

କିନ୍ତୁ ଏହି ଯୋଜନାକୁ ଏବେ ହଠାତ ତରବରିଆ ଭାବେ ବନ୍ଦ ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଭିଡ୍‌ ସଂକ୍ରମଣ ହ୍ରାସ ପାଉଥିବା ସତ୍ତ୍ୱେ କୋଭିଡ୍‌ ପରବର୍ତ୍ତୀ ଜଟିଳତା ଯୋଗୁ ଅନେକ ବ୍ୟକ୍ତି ଏବେ ବି ପ୍ରାଣ ହରାଉଛନ୍ତି। ପୁଣି ତୃତୀୟ ଲହରର ଆଶଙ୍କା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ , ଯଦି ଆଗକୁ କୌଣସି ପିଲା କୋଭିଡ୍‌ରେ ତା’ ବାପା-ମା’ଙ୍କୁ ହରାଇବେ, ସେମାନେ କାହିଁକି ଆଶୀର୍ବାଦ ଯୋଜନାରେ ସାମିଲ କରାଯିବ ନା ନାହିଁ ? ସେମାନଙ୍କ ପାଇଁ ସରକାର କଣ ଚିନ୍ତା କରିଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟରେ ମାତ୍ର ୨୩୮ଟି ବିଭିନ୍ନ ପ୍ରକାର ଶିଶୁ ଯତ୍ନ ଅନୁଷ୍ଠାନ ରହିଛି। ବାଳାଶ୍ରମରେ ସମୁଦାୟ ପ୍ରାୟ ୮୫୦୦ ଜଣ ଅନ୍ତେବାସୀ ରହୁଛନ୍ତି।

Related Posts