(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଅପରପକ୍ଷରେ ସୋମବାର ଦିନ ଯୁକ୍ତ ୨ ପ୍ରଥମ କଟ୍ ଅଫ୍ ମାର୍କ ମଧ୍ୟ ପ୍ରକାଶ ପାଇଛି। ତେବେ ଯେଉଁ ଛାତ୍ରଛାତ୍ରୀ ମାନଙ୍କ ପାଖରେ ଯୁକ୍ତଦୁଇ ଶ୍ରେଣୀର ଓରିଜିନାଲ ସାର୍ଟିଫିକେଟ ଓ ମାଇଗ୍ରେସନ ସାର୍ଟିଫିକେଟ ନାହିଁ ସେମାନେ ମଧ୍ୟ ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ ତିନି ଶ୍ରେଣୀରେ ଆଡମିଶନ କରି ପାରିବେ।
ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୋମବାର ଦିନ ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଉଁ ମାନଙ୍କ ପାଖରେ ଓରିଜିନାଲ ସାର୍ଟିଫିକେଟ ଓ ମାଇଗ୍ରେସନ ସାର୍ଟିଫିକେଟ ନାହିଁ ସେମାନଙ୍କଠୁ ମାର୍କସିଟ୍ ଓ ଅଣ୍ଡରଟେକିଂ ରଖି ନାମ ଲେଖାଇବାକୁ ସୁଯୋଗ ଦେବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି। ଛାତ୍ରଛାତ୍ରୀମାନେ ୱେବସାଇଟରୁ ଡାଉନଲୋଡ୍ କରିଥିବା ମାର୍କସିଟ୍ ଦେଇ ନାମ ଲେଖାଇ ପାରିବେ। ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦରୁ ଯୁକ୍ତ ଦୁଇ ପାସ୍ କରିଥିବା ପିଲାଙ୍କ ପାଇଁ ଏହି ସବୁ ଦସ୍ତାବିଜ ଦାଖଲ କରିବାରେ ସମସ୍ୟା ଥିବା କାରଣରୁ ୨୦୨୧-୨୨ ଶିକ୍ଷା ବର୍ଷରେ ନାମଲେଖା ସମୟରେ ଆବଶ୍ୟକ ନିର୍ଦ୍ଦେଶନାମା ପାଳନ କରିବାକୁ ସମସ୍ତ କଲେଜକୁ ପରାମର୍ଶ ଦିଆଯାଇଛି।
ପ୍ରଥମ ସିଲେକ୍ସନର ୧୫ଦିନ, ଦ୍ୱିତୀୟ ସିଲେକ୍ସନର ସପ୍ତାହକ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନିଜର ଅରିଜିନାଲ ମାର୍କସିଟ୍ ଦେବାକୁ ପଡ଼ିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ଆଡମିଶନର ମାସକ ମଧ୍ୟରେ ମାଇଗ୍ରେସନ ସାର୍ଟିଫିକେଟ୍ ଦେବାକୁ ପଡ଼ିବ। ତେବେ ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଅରିଜିନାଲ ସାର୍ଟିଫିକେଟ୍ ନଦିଅନ୍ତି ତେବେ ଆଡମିଶନ ରଦ୍ଦ ହୋଇଯିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି ଆଇସିଏସଇ,ସିବିଏସଇ ଅବା ଅନ୍ୟ ବୋର୍ଡର ଛାତ୍ରଛାତ୍ରୀମାନେ ଆଡମିଶନ ପାଇଁ ଯୋଗ୍ୟ ବିବେଚିତ ହେଲେ ସେମାନେ ନିଶ୍ଚିତ ଭାବେ ଡାଉନଲୋଡ୍ କରିଥିବା ନିଜର ମାର୍କସିଟ୍ ଓ ସାର୍ଟିଫିକେଟ୍ ଦାଖଲ କରିବେ। ଏହି ସାର୍ଟିଫିକେଟ୍ ଓ ମାର୍କସିଟ୍ ଓରିଜିନାଲ ହୋଇନଥିଲେ ସେମାନେ ପଢ଼ୁଥିବା ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଏହାକୁ ଆଟେଷ୍ଟେଡ୍ କରାଇବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି।