
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଠାରୁ ଆରମ୍ଭ ହେବ ଏସିଆ କପ୍ କ୍ରିକେଟ ମହାସମର। ଏହି ଲଢେଇରେ ଆମ୍ନା ସାମ୍ନା ହେବେ ଏସିଆର ମହାଦେଶର ୬ଟି ଦଳ। ଟ୍ବେଣ୍ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଏଥର କଡ଼ା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ ବୋଲି ବହୁ କ୍ରିକେଟ୍ ପଣ୍ଡିତ ଆକଳନ କରି ସାରିଛନ୍ତି। ପାକିସ୍ତାନୀ କିଂବଦନ୍ତି ୱାସିମ୍ ଆକ୍ରମ କହିଛନ୍ତି, ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଥିବା ହଂକଂକୁ ଛାଡ଼ିଦେଲେ ଅନ୍ୟ ୫ ଦଳ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ମ୍ୟାଚ୍ ଦିନ କେହି କାହାକୁ ପରାସ୍ତ କରିବାର ଦକ୍ଷତା ରଖିଛନ୍ତି।
୬ ବର୍ଷ ପରେ ଏହି ଫର୍ମାଟର ଏସିଆ କପ୍ ଖେଳାଯିବାକୁ ଥିବାରୁ ସବୁ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି। ୭ ଥର ବିଜେତା ଭାରତ ନିଶ୍ଚିତ ଭାବେ ଚଳିତ ବର୍ଷର ବିଶ୍ବକପ୍ ପୂର୍ବରୁ ଏହାକୁ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଭାବେ ବିବେଚନା କରିଛି। ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳାଯିବାକୁ ଥିଲେ ମଧ୍ୟ ସେଠାକାର ପାଣିପାଗ ୟୁଏଇ ଠାରୁ ଭିନ୍ନ ରହିବ। ଭାରତୀୟ ଦଳ କିନ୍ତୁ ଏହାର ୩ ତାରକା ବ୍ୟାଟର୍ ବିରାଟ କୋହଲି, ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଫର୍ମକୁ ନେଇ ଚିନ୍ତିତ ରହିଛି। ଏମାନେ ଏସିଆ କପ୍ ଅବସରରେ ଫର୍ମକୁ ଫେରନ୍ତୁ ବୋଲି ମଧ୍ୟ ଭାରତୀୟ ପ୍ରଶଂସକମାନେ ଆଶା କରିଛନ୍ତି। ରବିବାର ଭାରତ-ପାକିସ୍ତାନ ମୁକାବିଲାକୁ ନେଇ ମଧ୍ୟ ପ୍ରଶଂସକମାନେ ଅଧିକ ଉତ୍କଣ୍ଠାରେ ରହିଛନ୍ତି। ଶନିବାର କିନ୍ତୁ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଶ୍ରୀଲଙ୍କା-ଆଫଗାନିସ୍ତାନ ଉଦ୍ଘାଟନୀ ମୁକାବିଲାରୁ ପ୍ରତିଯୋଗିତା ଆରମ୍ଭ ହେବ। ପ୍ରତି ମ୍ୟାଚ୍ ସଂଧ୍ୟା ୭.୩୦ରେ ଆରମ୍ଭ ହେବାକୁ ଥିବାବେଳେ ଷ୍ଟାର୍ ସ୍ପୋର୍ଟସ ପ୍ରସାରଣ ଦାୟିତ୍ବରେ ରହିଛି।