ଇଂଲଣ୍ଡ() ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପ୍ର ଦଶମ ସଂସ୍କରଣ ଶୁକ୍ରବାରଠୁ ଇଂଲଣ୍ଡର ୭ଟି ଭେନ୍ୟୁରେ ଖେଳାଯିବ । ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୨ ଦଳ ଅଂଶଗ୍ରହଣ କରୁଥିଲା ବେଳେ ମୋଟ ୩୩ ମ୍ୟାଚ୍ ଖେଳାଯିବ । ୧୨ ଦଳକୁ ୨ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି । ଗ୍ରୁପ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପ୍ରେ ପ୍ରତି ଦଳ ସହ ରାଉଣ୍ଡ ରବିନ୍ ଫର୍ମାଟ୍ରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ ସେମିପାଇନାଲ୍ ପହଞ୍ଚିବେ । ୨୦୦୯ରେ ଉଦ୍ଘାଟନୀ ସଂସ୍କରଣ ପରେ ଇଂଲଣ୍ଡ ଦ୍ୱିତୀୟ ଥର ଏହି ପ୍ରତିଯୋଗିତାର ଆୟୋଜନ ଅଧିକାର ପାଇଛି । ଏହି ପ୍ରତିଯୋଗିତାରେ ନେଦରଲାଣ୍ଡ୍ସ ପ୍ରଥମ ଥର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଅଷ୍ଟ୍ରେଲିଆ ସର୍ବାଧିକ ୬ ଥର ଟ୍ବେଣ୍ଟି-୨୦ ବିଶ୍ୱକପ୍ ଜିତିଥିଲା ବେଳେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ନ୍ୟୁଜିଲାଣ୍ଡ ଥରେ ଲେଖାଏଁ ଟ୍ରଫି ତୋଳି ଧରିଛନ୍ତି। ଭାରତ କେବଳ ଥରେ (୨୦୨୦)ରେ ଫାଇନାଲ୍ ଖେଳିଥିଲା ବେଳେ ଅଷ୍ଟ୍ରେଲିଆଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା । ଗ୍ରୁପ୍-ଏ’ରେ ଭାରତ ତା’ର ପ୍ରଥମ ମ୍ୟାଚ୍ ରବିବାର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ବର୍ମିଂହାମରେ ଖେଳି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଏହାପରେ ୧୭ରେ ନେଦରଲାଣ୍ଡ୍ସ (ଲିଡ୍ସ), ୨୧ରେ ଦକ୍ଷିଣ ଆଫ୍ରିକା (ମାଞ୍ଚେଷ୍ଟର, ୨୫ରେ ବାଂଲାଦେଶ (ମାଞ୍ଚେଷ୍ଟର) ଓ ୨୮ରେ ଅଷ୍ଟ୍ରେଲିଆ (ଲର୍ଡ୍ସ) ବିପକ୍ଷରେ ଖେଳି ଗ୍ରୁପ୍ ପର୍ଯ୍ୟାୟ ଶେଷ କରିବ । ଦ ଓଭାଲ୍ରେ ଜୁନ୍ ୩୦ ଓ ଜୁଲାଇ ୨ ତାରିଖରେ ଦୁଇଟି ଯାକ ସେମିଫାଇନାଲ୍ ଖେଳାଯିବ । ଫାଇନାଲ୍ ମ୍ୟାଚ୍ ୫ ତାରିଖରେ ଐତିହାସିକ ଲର୍ଡ୍ସରେ ଆୟୋଜିତ ହେବ । ଶୁକ୍ରବାର ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ବର୍ମିଂହାମରେ ଖେଳାଯିବ ।
