ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ଅସିତ ତ୍ରିପାଠୀ; କହିଲେ 5-Tକୁ ଦେବେ ଗୁରୁତ୍ବ

ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅସିତ ତ୍ରିପାଠୀ । ଆଦିତ୍ୟ ପାଢୀଙ୍କଠାରୁ ସେ ଦାୟିତ୍ବ ନେଇଛନ୍ତି । ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅସିତ ତ୍ରିପାଠୀ ହୋଇଛନ୍ତି ରାଜ୍ୟର ୪୩ତମ ମୁଖ୍ୟ ଶାସନ ସଚିବ ।

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବାପରେ କହିଛନ୍ତି ଯେ ସମୟ ନଷ୍ଟ ନକରି କଠିନ ଟିମ୍ ୱାର୍କ କଲେ ଠିକ୍ ସମୟରେ ସରକାରୀ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚିବ । ନିଜର କାମ ଥିଲେ ଫାଇଲ ରକେଟ ଭଳି କ୍ଷୀପ୍ର ଗତିରେ ଯାଇଥାଏ। ସେହିଭଳି ପ୍ରତିଟି ଫାଇଲ ରକେଟ ବେଗରେ ଯେମିତି ଗତି କରିବ ତାହା ସେ ଦେଖିବେ ବୋଲି କହିଛନ୍ତି ।

ସରକାରଙ୍କ ୫T ଫର୍ମୁଲାକୁ ଗୁରୁତ୍ବ ଦେଇ, ସମସ୍ତଙ୍କୁ ନେଇ କାର୍ଯ୍ୟ କରିବା ପାଇଁ ୨୦୧୯-୨୦ବର୍ଷ ପାଇଁ ସବୁ ବିଭାଗର କାର୍ଯ୍ୟ ନିର୍ଦ୍ଧାରିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ କିପରି ପୂରା ହେବ ତାହା ସେ ତଦାରଖ କରିବେ ବୋଲି କହିଛନ୍ତି ଅସିତ ତ୍ରିପାଠୀ।

ଉନ୍ନୟନ କମିଶନର ଭାବେ ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି । କୃଷି ଉତ୍ପାଦନ କମିଶନର ଭାବେ ୧୯୮୮ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଦାୟିତ୍ବ ନେଇଛନ୍ତି।

Related Posts