ହେଲମେଟ କାହିଁକି ପିନ୍ଧିନ ପଚାରିବାରୁ ସାମ୍ବାଦିକଙ୍କୁ ପ୍ରବଳ ପିଟିଲେ ଦୁଇ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସାମ୍ବାଦିକଙ୍କୁ ଦୁଇ ଜଣ ପୁଲିସ କନେଷ୍ଟବଳ ମାଡ଼ ମାରୁଥିବାର ଭିଓିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି । ତେବେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଆସାମର ଚିରଙ୍ଗ ଜିଲ୍ଲାରେ । ସେପଟେ ପୀଡ଼ିତ ସାମ୍ବାଦିକଙ୍କ ନାମ ଜୟନ୍ତ ଦେବନାଥ । ଭାଇରାଲ ଭିଡିଓରେ ଜୟନ୍ତଙ୍କୁ ଦୁଇ ପୁଲିସ କନେଷ୍ଟବଳ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି । ଏହା ପରେ ଦେବନାଥଙ୍କୁ ପୁଲିସ ଜିପରେ ବସାଇବା ପାଇଁ ଅଧିକ ପୁଲିସ ଡ଼କାଯାଇଥିଲା । ତେବେ ସମ୍ପୂର୍ଣ୍ଣ ଘଟଣାଟି ହେଉଛି, ଦୁଇ ଜଣ ପୁଲିସ କର୍ମୀ ବିନା ହେଲମେଟରେ ବାଇକ ଚଳାଉଥିଲେ । ଏହାକୁ ଦେଖି ଦେବନାଥ ତାଙ୍କୁ କହିଥିଲେ ଯେ, ଆପଣ ଏପରି କରି ସାଧାରଣ ଜନତାଙ୍କୁ କଣ ମେସେଜ ଦେବାକୁ ଚାହୁଁଛନ୍ତି ? ଏହା ପରେ ଦେବନାଥଙ୍କୁ ଗାଳିଗୁଲଜ କରିବା ସହ ସେମାନେ ସାମ୍ବାଦିକଙ୍କୁ ଦିବାଲୋକରେ ନିର୍ଯ୍ୟାତନା ଦେଇଥିଲେ ।

କେବଳ ଏତିକି ନୁହେଁ ବରଂ ସେ ଜଣେ ସାମ୍ବାଦିକ କହିବା ପରେ ମଧ୍ୟ ଦୁଇ ପୁଲିସ କର୍ମଚାରୀ ଅଟକିକନଥିଲେ । ଏହା ଶୁଣିବା ପରେ ସେମାନେ ଆହୁରି ରାଗି ଯାଇ ତାଙ୍କୁ ମାଡ଼ ମାରିବାରେ ଲାଗିଥିଲେ ବୋଲି ଦେବନାଥ କହିଛନ୍ତି । ଏହା ସହ ଆସାମରେ ପୁଲିସ୍କୁ ନିଜ ସ୍ୱାଧୀନତାରେ କାମ କରିବାକୁ ଅନୁମତି ମିଳିଛି। କିନ୍ତୁ କିଛି ପୁଲିସ୍ କର୍ମଚାରୀ ଏହାର ଅପବ୍ୟବହାର କରୁଛନ୍ତି। ମୁଁ ଆସାମ ସରକାରଙ୍କୁ କହିବାକୁ ଚାହୁଁଛି ଯେ ଆପଣ ଆଇନ ତିଆରି କରିଛନ୍ତି ଓ ଆପଣଙ୍କ ଲୋକମାନେ ଏହାକୁ ଭାଙ୍ଗୁଛନ୍ତି। ସରକାର ତୁରନ୍ତ ଦୁଇ ପୁଲିସ୍ କର୍ମଚାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯଦି ଏପରି ଘଟଣା ରାତିରେ ଘଟି ଥାଆନ୍ତା, ତା’ହେଲେ ସେମାନେ ମୋତେ ଗୁଳି କରି ଦେଇଥାଆନ୍ତେ। ମୁଁ ସେମାନଙ୍କ ଆଚରଣ ଦେଖି ପୂରା ସ୍ତବ୍ଧ ହୋଇଯାଇଛି ବୋଲି ସାମ୍ବାଦିକ ଜଣଙ୍କ କହିଛନ୍ତି । ଅନ୍ୟପଟେ ଜୟନ୍ତ ଦେବନାଥଙ୍କ ଅଭିଯୋଗକୁ ଆଧାରକରି ଆସାମ ପୁଲିସ ତଦନ୍ତ ଆରମ୍ଭ କରିଛି ।

Related Posts