ଯୋଗୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ନିଜ ନିଜର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ୨୪ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ସେପଟେ ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନରେ ଗୋରଖପୁର ସହରାଞ୍ଚଳରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ମୁଖରେ ସମାଜବାଦୀ ପାର୍ଟିର ସୁଭାବତୀ ଶୁକ୍ଲା ନିଜ ଭାଗ୍ୟ ପରୀକ୍ଷା କରିବେ। ଗୋରଖପୁର ସହରୀ ଆସନରେ ଷଷ୍ଠ ପର‌୍ୟ୍ୟାୟ ମତଦାନ ମାର୍ଚ୍ଚ ୩ ରେ ଅନୁଷ୍ଠିତ ହେବାକୁ ଯାଉଛି ।

ଉଲ୍ଲେଖନୀୟ କଥା ହେଉଛି, ଶୁକ୍ଲା ଗୋରଖପୁରର ପୂର୍ବତନ ବରିଷ୍ଠ ନେତା ତଥା ୟୁପି ବିଜେପି ଉପାଧ୍ୟକ୍ଷ ଉପେନ୍ଦ୍ର ଶୁକ୍ଲାଙ୍କ ପତ୍ନୀ। ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବାପରେ ଗୋରଖପୁର ଆସନ ଖାଲି ପଡ଼ିବା ପରେ ସେ ୨୦୧୮ ରେ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ପରାସ୍ତ ହୋଇଥିଲେ। ମେ ୨୦୨୦ ରେ ତାଙ୍କର ଦେହାନ୍ତ ହୋଇଛି । ଉପେନ୍ଦ୍ର ଶୁକ୍ଲା ଜଣେ ଲୋକପ୍ରିୟ ନେତା ଥିଲେ ଏବଂ ପୁର୍ବାଞ୍ଚଳ ଅଞ୍ଚଳରେ ବିଜେପିର ବ୍ରାହ୍ମଣ ଚେହେରା ଭାବରେ ରହିଥିଲେ । ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫେବୃଆରୀ ୪ ତାରିଖରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେପଟେ ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ଏବଂ ମାର୍ଚ୍ଚ ୧୦ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ ।

Related Posts