ହିଜାବ ବିବାଦ; ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ: ହାଇକୋର୍ଟ

କର୍ଣ୍ଣାଟକ(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ରାଜ୍ୟରେ ହିଜାବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟରେ ଏହାର ଶୁଣାଣି ହୋଇଛି । ତେବେ ଆମେ କାହାର ଆବେଗ କିମ୍ବା ଭାବନା ଦ୍ୱାରା ନୁହେଁ ବରଂ କାରଣ ଏବଂ ଆଇନ ଅନୁଯାୟୀ ଚାଲିବୁ । ସମ୍ବିଧାନ ଯାହା କହିବ ଆମେ ତାହା କରିବୁ । ଆମ ପାଇଁ ସମ୍ବିଧାନ ହେଉଛି ଭଗବତଗୀତା ସଦୃଶ ବୋଲି ହାଇକୋର୍ଟ କହିଛନ୍ତି । ସେପଟେ ଆଡଭୋକେଟ ଜେନେରାଲ କର୍ଣ୍ଣାଟକ ହାଇକୋର୍ଟଙ୍କୁ କହିଛନ୍ତି ଯେ ୟୁନିଫର୍ମ ସ୍ଥିର କରିବା କଲେଜ ଗୁଡ଼ିକର କାମ । ଯେଉଁ ଶିକ୍ଷାର୍ଥୀମାନେ ଏଥିରେ କୋହଳ ଚାହୁଁଛନ୍ତି, ସେମାନେ କଲେଜ ବିକାଶ କମିଟି ନିକଟକୁ ଯାଇପାରିବେ । ଅନ୍ୟପଟେ କଲେଜ କ୍ୟାମ୍ପସରେ ହିଜାବ ଏବଂ ଶାଲ ପିନ୍ଧିବା ମାମଲାର ଶୁଣାଣି ସମୟରେ କର୍ଣ୍ଣାଟକ ହାଇକୋର୍ଟ ଏଭଳି ମତ ଦେଇଛନ୍ତି ।

କର୍ଣ୍ଣାଟକର ଉଡ୍ଡୁପିର ଏମଜିଏମ କଲେଜରେ ହିଜାବ ପିନ୍ଧିବାକୁ ନେଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଏକ ବିବାଦ ସୃଷ୍ଟି ହୋଇଥିଲା । ଯେତେବେଳେ ହିଜାବ ପିନ୍ଧି ଛାତ୍ରୀମାନେ କଲେଜରେ ପହଞ୍ଚିଲେ, ସେମାନଙ୍କୁ ଶ୍ରେଣୀରେ ପ୍ରବେଶ କରାଗଲା ନାହିଁ । ବିବାଦ ବଢ଼ିବା ଦେଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଲେଜକୁ ବନ୍ଦ କରାଯାଇଥିଲା । ଶୁଣାଣି ସମୟରେ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତ ଯେ, ଆମେ କାରଣ ଅନୁଯାୟୀ ଚାଲିବୁ, ଆଇନ ପାଳନ କରିବୁ । କାହାର ଆବେଗ କିମ୍ବା ଭାବନା ଅନୁସାରେ ନୁହେଁ । ସମ୍ବିଧାନ ଯାହା କହୁଛି ତାହା ଆଧାରରେ କରାଯିବ । ଆମେ ପ୍ରତିଦିନ ଏଭଳି ଘଟୁଥିବାର ଆମେ ଦେଖିପାରିବୁ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।

Related Posts