ଆରମ୍ଭ ହେଲା ବିଧାନସଭା; ଶପଥ ନେଲେ ନବନିର୍ବାଚିତ ବିଧାୟକ

ଭୁବନେଶ୍ୱର,୧୮/୬(ସତ୍ୟପାଠ ବ୍ୟୁରୋ):  ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଏହି ଅବସରରେ ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ। ସେମାନଙ୍କୁ ଶପଥ ପାଠ କରାଇଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ।

ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ ଭାବେ ଶପଥ ନେଇଥିଲେ। ଏହାପରେ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସେହିପରି ବିଧାୟକ ଭାବେ ରବି ନାୟକ, ସୂର୍ଯ୍ୟବଂଶୀ ସୂରଜ, ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ ବି ଶପଥ ନେଇଛନ୍ତି।

ଏଥର ବିଧାନସଭାକୁ ୮୨ ଜଣ ନୂଆ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି । ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ନେତାମାନେ ବିଧାନସଭାକୁ ମୁଣ୍ଡିଆ ମରି ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା।

ଏଥର ବହୁ ପୁରୁଣା ମୁହଁଙ୍କୁ ମିଳିଛି ନୂଆ ପରିଚୟ। ଚଳିତ ନିର୍ବାଚନ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆସନ ବଦଳି ଯାଇଛି। ଗତ ୫ଟି ପାଳିରେ ମୁଖ୍ୟମନ୍ତ୍ରୀ ଗାଦିରେ ବସୁଥିବା ନବୀନ ପଟ୍ଟନାୟକ ଏଥର କିନ୍ତୁ ବିରୋଧୀ ଦଳ ଆସନରେ ବସିଛନ୍ତି। ହିଞ୍ଜିଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ଶପଥ ନେଇଛନ୍ତି।

ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି। ଆସନ୍ତା ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ।

Related Posts