ଥମୁନି ବିବୃତି ଝଡ, ଚାଲିପାରୁନି ବିଧାନସଭା

ସତ୍ୟପାଠ ବ୍ୟୁରୋ : ମୁସଲମାନ ମହିଳାଙ୍କ ପ୍ରତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଦେଇଥିବା ବୟାନକୁ ନେଇ ବିବାଦ ଥମିବାର ନାଁ ନେଉନି । ଆଜି ଗୃହକାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ନାରାବାଜି କରିବା ସହ ବିଜେପିକୁ ଘେରିଛନ୍ତି । ଫଳରେ ଗୃହକୁ ଘଂଟାଏ ପାଇଁ ମୂଲତବୀ କରାଯାଇଛି ।

ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କୁ ପ୍ରଶ୍ନ ରଖିବାକୁ ଡାକିଥିଲେ ବାଚସ୍ପତି । କିନ୍ତୁ ସେତେବେଳକୁ କଂଗ୍ରେସ ସଭ୍ୟମାନେ ନାରାବାଜି ଆରମ୍ଭ କରି ଦେଇଥିଲେ । ତାରା ବାହିନୀପତି, ସୁରେଶ ରାଉତରାୟ ଓ ମହମ୍ମଦ ମୋକିମ୍ ପ୍ରମୁଖ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିଧାୟକଙ୍କ ନାରାବାଜିରେ କମ୍ପିଥିଲା ଗୃହ । ଫଳରେ ଗୃହକୁ ଘଂଟାଏ ପାଇଁ ମୂଲତବୀ ରଖିଥିଲେ ବାଚସ୍ପତି ।

ଗତକାଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ତିନି ତଲାକ ବିଲ ପାରିତ ନେଇ ବିଧାନସଭାରେ ବିବୃତି ଦେବା ବେଳେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛି କଂଗ୍ରେସ ।

Related Posts