‘ସାହସ ଥିଲେ ମୋତେ ରାଜରାସ୍ତାରେ ଆକ୍ରମଣ କର’; ସିପିଆଇ-ଏମ୍‌ କୁ କେରଳ ରାଜ୍ୟପାଳଙ୍କ ଚ୍ୟାଲେଞ୍ଜ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିନକୁ ଦିନ କେରଳର ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ ଓ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ ମଧ୍ୟରେ ବିବାଦ ବଢ଼ିବାକୁ ଲାଗିଛି। ଏସବୁ ଭିତରେ ଆଜି ରାଜ୍ୟପାଳ ରାଜ୍ୟରେ ଶାସନରେ ଥିବା ‘ସିପିଆ-ଏମ୍‌’ର ନେତାମାନଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ତୁମ ମାନଙ୍କର ସାହସ ଅଛି ତାହେଲେ ମୋତେ ରାଜରାସ୍ତାରେ ଆକ୍ରମଣ କର।

ରାଜ୍ୟପାଳ ସିପିଆ-ଏମ୍‌ ନେତା ମାନଙ୍କୁ ନେଇ କହିଛନ୍ତି ଯେ, ସେମାନେ ସାମ୍ବିଧାନିକ ଶାସନ ବ୍ୟବସ୍ଥା ନଷ୍ଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୁଁ ସେମାନଙ୍କୁ ଆହ୍ବାନ ଦେଉଛି, ସେମାନେ ଆହୁରି ଅଗ୍ରସର ହୁଅନ୍ତୁ, ଅଧିକ ସମସ୍ୟା ସୃଷ୍ଟି କରନ୍ତୁ, ସତ୍‌ସାହସ ଥିଲେ ରାଜଭବନ ମଧ୍ୟକୁ ଧଷେଇ ପଶନ୍ତୁ ଓ ରାଜରାସ୍ତାରେ ମତେ ଆକ୍ରମଣ କରନ୍ତୁ। ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ମୁଁ କିଏ ସେ ଜାଣନ୍ତି ନାହିଁ। କିନ୍ତୁ, ସେ କିଏ ମୁଁ ଭଲ ଭାବରେ ଜାଣିଛି ବୋଲି ରାଜ୍ୟପାଳ କହିଛନ୍ତି।

ନଭେମ୍ବର ୧୫ ତାରିଖ ଦିନ ‘ସିପିଆଇ-ଏମ୍‌’ର ପ୍ରସ୍ତାବିତ ପଦଯାତ୍ରା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁ କହିଛନ୍ତି, ନଭେମ୍ବର ୧୫ ତାରିଖ ଦିନ ନୁହେଁ, ମୁଁ ରାଜଭବନରେ ଥିବା ଦିନ ପଦଯାତ୍ରା କରନ୍ତୁ। ମୁଁ ସେଠାକୁ ଯିବି। ଚାଲନ୍ତୁ, ସର୍ବସାଧାରଣରେ ବିତର୍କ କରିବା। କର୍ତ୍ତବ୍ୟ ନିର୍ବାହ କରିବାରେ କୁଳପତିମାନଙ୍କୁ ବାଧା ଦିଆଯାଉଛି, ଆଇନ-ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଉଛି, ମତେ ହତ୍ୟା ଧମକ ଦିଆଯାଉଛି।

ସୂଚନ‌ାଯୋଗ୍ୟ, କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଓ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ମଧ୍ୟରେ କେତେଗୁଡ଼ିଏ ପ୍ରସଙ୍ଗରେ ମତାନ୍ତର ଚାଲିଛି ଏବଂ କିଛି ଦିନ ହେବ ସେମାନେ ପରସ୍ପର ମଧ୍ୟରେ ଭୀଷଣ ଯୁକ୍ତିତର୍କ କରୁଛନ୍ତି। ‘ସିପିଆଇ-ଏମ୍‌’ ନେତା ବିଜୟନ କହୁଛନ୍ତି ଯେ, ରାଜ୍ୟରେ ‘ଆର୍‌ଏସ୍‌ଏସ୍‌ ଆଜେଣ୍ଡା’ ପ୍ରଣୟନ କରିବା ଲାଗି କେରଳ ରାଜ୍ୟପାଳ ଉଦ୍ୟମ କରିବା ସହିତ ସାମ୍ପ୍ରଦାୟିକବାଦ କ୍ଷେତ୍ରରେ ରାଜ୍ୟକୁ ଏକତରଫା କରୁଛନ୍ତି।

‘ସିପିଆଇ-ଏମ୍‌’ର କେରଳ ରାଜ୍ୟ ସମ୍ପାଦକ ଏମ୍‌.ଭି. ଗୋବିନ୍ଦନ ରବିବାର ଦିନ କହିଛନ୍ତି ଯେ, ଦଳ ରାଜ୍ୟପାଳଙ୍କ ବିରୋଧରେ ଆଇନଗତ ଓ ସାମ୍ବିାଧାନିକ ଭାବେ ଲଢ଼େଇ କରିବ।

Related Posts