ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟ୍ବିଟର ଭଳି ଏବେ ମେଟାରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି ଛଟେଇ ପର୍ବ । ଏନେଇ ଏବେ କର୍ମଚାରୀଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଲନ ମାସ୍କଙ୍କ ଟ୍ବିଟର ଭଳି ଫେସବୁକର ସହଯୋଗୀ କମ୍ପାନୀ ମେଟାରେ ମଧ୍ୟ ଛଟେଇ ହେବ । ଆସନ୍ତା ବୁଧବାର ଠାରୁ ଏହି ଛଟେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟାରେ ବଡ଼ ଧରଣର କଷ୍ଟ କଟିଂ ହେବ ବୋଲି ଜଣାପଡ଼ିଛି ।ପ୍ରାୟ ହଜାରେରୁ ଅଧିକ କର୍ମଚାରୀଙ୍କୁ କମ୍ପାନୀ ବାହାର କରିବାକୁ ଯାଉଛି । ମେଟା କମ୍ପାନୀ ଇତିହାସରେ ପ୍ରଥମ ଥର ପାଇଁ ଏତେ ବଡ଼ ଧରଣର ଛଟେଇ ହେବ । ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି ।
ମେଟାରେ ୮୭ ହଜାରରୁ ଅଧିକ କର୍ମଚାରୀ ଜୀବିକା ନିର୍ବାହ କରୁଛନ୍ତି । ଚଳିତ ବର୍ଷ ମେଟାର ୭୩ ପ୍ରତିଶତ ପର୍ଯ୍ୟନ୍ତ ସେୟାର ହ୍ରାସ ପାଇଛି । କମ୍ପାନୀର ସେୟାର ୨୦୧୬ ଠାରୁ ମଧ୍ୟ ନିମ୍ନସ୍ତରକୁ ଖସିଯାଇଛି । ଏସଏଡିପି ୫୦୦ ଇଣ୍ଡେକ୍ସର ଖରାପ ପ୍ରଦର୍ଶନ କରୁଥିବା ତାଲିକାରେ ସାମିଲ ହୋଇଛି । ମେଟାର ସେୟାର ଭାଲ୍ୟୁ ଚଳିତ ବର୍ଷ ପ୍ରାୟ ୬୭ ଆରବ ଡଲାରରୁ କମ୍ ହୋଇଛି । ଯାହା କମ୍ପାନୀ ପାଇଁ ଏହା ବଡ଼ ଝଟକା ଠାରୁ କିଛି କମ୍ ନୁହେଁ ବୋଲି କୁହାଯାଉଛି ।
ମେଟାରେ କର୍ମଚାରୀଙ୍କୁ ଛଟେଇ ହେବା ନେଇ ଏଯାଏଁ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ସୂଚନା ଅନୁଯାୟୀ, ହଜାରେରୁ ଅଧିକ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରାଯିବା ନେଇ ଯୋଜନା କରାଯାଉଛି ।
ରିପୋର୍ଟ ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ଏବେ ଅର୍ଥନୈତିକ ସଂକଟ ମଧ୍ୟରେ ଗତି କରୁଛି । ଗ୍ଲୋବାଲ ଇକୋନୋମିକ୍ ଗ୍ରୋଥ୍, ସୋସିଆଲ ମିଡିଆରେ ପ୍ରତିଯୋଗୀତା, ଆପଲ୍ ର ପ୍ରାଇଭେଟ୍ ନୀତିରେ ପରିବର୍ତ୍ତନ, ମେଟାବୋର୍ସରେ ମାତ୍ରାଧିକ ଖର୍ଚ୍ଚ ପାଇଁ କମ୍ପାନୀରେ ଆର୍ଥିକ ସମସ୍ୟା ଦେଖାଦେଇଛି । ତେଣୁ ମେଟା କଷ୍ଟ୍ କଟିଂ ନୀତି ଆପଣାଇବାକୁ ଯାଉଥିବା କୁହାଯାଉଛି ।





