‘ମୋ ବିରୋଧରେ ଗୋଟିଏ ପ୍ରମାଣ ଦେଲେ ମୁଁ ପଦରୁ ଇସ୍ତଫା ଦେବି’; କେରଳ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଲେ ରାଜ୍ୟପାଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶ୍ଵବିଦ୍ୟାଳୟ କୁଳପତି ନିଯୁକ୍ତିରେ ମୋର ରାଜନୈତିକ ହସ୍ତକ୍ଷେପ ନେଇ ଯଦି ଗୋଟିଏ ପ୍ରମାଣ ଦେଇ ଦେବେ ତେବେ ମୁଁ ମୋର ପଦରୁ ଇସ୍ତଫା ଦେବି। ଆଜି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କୁ ଏଭଳି ଚ୍ୟାଲେଞ୍ଜ ଦେଇଛନ୍ତି ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ। ସେ କହିଛନ୍ତି ଯେ, ମୋ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଆଣିଥିବା ଅଭିଯୋଗର ଗୋଟିଏ ବି ପ୍ରମାଣ ଦେଲେ ମୁଁ ରାଜ୍ୟପାଳ ପଦରୁ ଇସ୍ତଫା ଦୋବି ବୋଲି କହିଛନ୍ତି।

ରାଜ୍ୟପାଳ ଆହୁରି କହିଛନ୍ତି ଯେ, ବିଶ୍ଵବିଦ୍ୟାଳୟ କୁଳପତି ନିଯୁକ୍ତିରେ ମୁଁ କେବେ ହସ୍ତକ୍ଷେପ କରିନାହିଁ, କିନ୍ତୁ ଏବେ ଦେଖୁଛି ସବୁ ପ୍ରକାର ତସ୍କରୀ ଗତିବିଧିକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ(ସିଏମ୍‌ଓ) ସୁରକ୍ଷା ଦେଉଛି। ସିଏମ୍‌ଓରେ ବସିଥିବା ଲୋକ କନ୍ନୁର ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ନିଜର କମ୍ ଯୋଗ୍ୟତା ଓ ଅଯୋଗ୍ୟ ସମ୍ପର୍କୀୟଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦେଶ ଦେଇଛନ୍ତି। ମୁଁ କେବେ ହସ୍ତକ୍ଷେପ କରିନି। ଖାନ୍ ଆହୁରି କହିଛନ୍ତି, ଯଦି ରାଜ୍ୟ ସରକାର, ସିଏମ୍‌ଓ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଲୋକ ତସ୍କରୀ ଗତିବିଧିରେ ସାମିଲ ଅଛନ୍ତି, ତେବେ ନିଶ୍ଚିତ ଭାବରେ ମୋର ହସ୍ତକ୍ଷେପ କରିବାର ଅଧିକାର ରହିଛି।

ସେ ଆହୁରି କହିଛନ୍ତି ଯେ, ଆର୍‌ଏସ୍‌ଏସ୍ ଲୋକଙ୍କୁ ଆଣିବାକୁ ମୁଁ ଏପରି କରୁଛି ବୋଲି ସେମାନେ ବାରମ୍ବାର ଅଭିଯୋଗ ଆଣିଛନ୍ତି। କିନ୍ତୁ ଯଦି ସେ ପ୍ରମାଣ କରନ୍ତି ଯେ, ମୁଁ ମୋ କ୍ଷମତାର ଆପବ୍ୟବହାର କରି କେବଳ ଆର୍‌ଏସ୍‌ଏସ୍ ଲୋକଙ୍କୁ ନିଯୁକ୍ତି ଦେଇଥିବି ତେବେ ମୁଁ ଇସ୍ତଫା ଦେବି। ଆଉ ଯଦି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗକୁ ପ୍ରମାଣିତ କରି ନ ପାରିଲେ ଓ ତାଙ୍କ ଅଭିଯୋଗ ସବୁ ମିଥ୍ୟା ପ୍ରମାଣିତ ହେଲା ତେବେ କଣ ସେ ନିଜ ପଦରୁ ଇସ୍ତଫା ଦେବାକୁ ରାଜି ହେବେ କି ?’କେରଳ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଏମିତି କିଛି ଚ୍ୟାଲେଞ୍ଜ ଦେଇଛନ୍ତି ରାଜ୍ୟପାଳ।

ସୂଚନା ଅନୁସାରେ, ରାଜ୍ୟର ବିଶ୍ଵବିଦ୍ୟାଳୟ ଗୁଡ଼ିକରେ କୂଳପତି ନିଯୁକ୍ତିରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ରାଜନୈତିକ ହସ୍ତକ୍ଷେପ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିଥିଲେ।ଏହାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ବିଜୟନଙ୍କୁ ଆଜି ଏପରି ଜବାବ ଦେଇଛନ୍ତି ରାଜ୍ୟପାଳ।

Related Posts