
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବନ୍ଦେ ଭାରତ ଏକ୍ସପ୍ରେସରେ ଅହମ୍ମଦାବାଦରୁ ସୁରଟ ଅଭିମୁଖେ ଯାତ୍ରା କରିବା ସମୟରେ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଉପରେ ପଥର ମାଡ଼ ହୋଇଛି। ଏହି ପଥର ମାଡରେ ଟ୍ରେନର ଝରକା କାଚ ଭାଙ୍ଗି ଯାଇଛି। ଏହି ଘଟଣା ସଂପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି ଏଆଇଏମଆଇଏମର ନେତା ବାରିସ୍ ପଠାନ। ଓୱେସି ଅଭିଯୁକ୍ତଙ୍କ ଟାର୍ଗେଟରେ ଅଛନ୍ତି ବୋଲି ସେ ଟ୍ୱିଟ କରି କହିଛନ୍ତି।
ଟ୍ରେନର ଭଙ୍ଗା ଝରକା କାଚର ଚିତ୍ର ସେୟାର କରି ଏଆଇଏମ୍ଆଇଏମ୍ ନେତା ବାରିସ୍ ପଠାନ୍ ଟୁଇଟ୍ କରି ଲେଖିଛନ୍ତି ଯେ, ସୋମବାର ଅସାଦୁଦ୍ଦିନ ଓୱେସି, ସାବର କବାଲିୱାଲା ଓ ଆମ ଦଳ ଅହମ୍ମଦାବାଦରୁ ସୁରଟ ଅଭିମୁଖେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନରେ ଯାତ୍ରା କରୁଥିଲେ। ଏହି ସମୟରେ କିଛି ଅଜ୍ଞାତ ବ୍ୟକ୍ତି ଝରକା ଉପରକୁ ପଥର ଫିଙ୍ଗିଥିଲେ।
ବାରିସ୍ ପଠାନ୍ ଦାବି କରିଛନ୍ତି ଯେ ଏହି ପଥର ମାଡ଼ ଅସାଦୁଦ୍ଦିନ ଓୱେସିଙ୍କ ଉପରକୁ କରାଯାଇଛି। ଅସାଦୁଦ୍ଦିନ ଓୱେସି ଯେଉଁ କୋଚରେ ବସିଥିଲେ, ତାଙ୍କ ଉପରକୁ ଦୁଇଥର ପଥର ଫିଙ୍ଗା ଦିଆଯାଇଥିଲା। ସେ କହିଛନ୍ତି ଯେ, ଆଜି ଆମେ ଅହମ୍ମଦାବାଦରୁ ବନ୍ଦେ ଭାରତ ଏକ୍ସପ୍ରେସରେ ସୁରଟକୁ ଯାତ୍ରା କରିଛୁ। ଆମେ ଗନ୍ତବ୍ୟ ସ୍ଥଳରୁ ୨୦ ରୁ ୨୫ କିଲୋମିଟର ଦୂରରେ ଥିଲୁ, ଟ୍ରେନ ଝରକାକୁ ପଥର ମାଡ଼ ହୋଇଥିଲା। ଓୱେସି ସମାନ କୋଚରେ ବସିଥିଲେ। ପଠାନ କହିଛନ୍ତି ଯେ, ପଥର ଫିଙ୍ଗିବା ଦ୍ୱାରା ଆପଣ ଆମର ଅଧିକାର ପାଇଁ ଆମ ସ୍ୱରକୁ କଦାପି ଦମନ କରିପାରିବେ ନାହିଁ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ୩୦ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧିନଗରରୁ ଗାନ୍ଧିନଗର-ମୁମ୍ବାଇ ସେଣ୍ଟ୍ରାଲ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଓୱେସି ବାରମ୍ବାର ଗୁଜୁରାଟ ଗସ୍ତ କରୁଛନ୍ତି। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଆଗାମୀ ଡିସେମ୍ବର ୧ ଏବଂ ୫ ରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ ଏବଂ ଡିସେମ୍ବର ୮ ରେ ଏହି ନିର୍ବାଚନର ଭୋଟ୍ ଗଣତି ହେବ।