ଗୁଜୁରାଟରେ କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ, ବିଜେପିକୁ ଦାୟୀ କରି ଜୋରଦାର ବିକ୍ଷୋପ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଖଉଥିବାବେଳେ ରାଜ୍ୟରେ ରାଜନୈତିକ ଉଷ୍ମତା କ୍ରମଶଃ ବଢିବାରେ ଲାଗିଛି । ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଅନନ୍ତ ପଟେଲଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଗତକାଲି (ଶନିବାର) ଅନନ୍ତ ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି । ଘଟଣା ପରେ ଅନନ୍ତ ଓ କଂଗ୍ରେସ ବିଜେପିକୁ ସିଧାସଳଖ ଦାୟୀ କରିଛନ୍ତି । ବିଜେପି ଶାସିତ ରାଜ୍ୟରେ କେହି ଯଦି ସ୍ବର ଉତ୍ତୋଳନ କରେ ତେବେ ଆକ୍ରମଣର ଶିକାର ହେବା ସହ ମିଛ କେଶରେ ଜେଲ ମଧ୍ୟ ଯିବାକୁ ପଡେ ବୋଲି ସେ କହିଛନ୍ତି।

କଂଗ୍ରେସ ବିଧାୟକ ଅନନ୍ତ ପଟେଲ ଜଣେ ଆଦିବାସୀ ସମ୍ପ୍ରଦାୟର ନେତା। ଗତକାଲି ରାତିରେ ସେ ଏକ ସଭାରେ ସାମିଲ ହେବା ପାଇଁ ନଭାସାରୀ ଜିଲ୍ଲାର ଖେରଗାମ ଅଞ୍ଚଳକୁ ଯାଇଥିଲେ । ସେଠାରେ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ମୁଖ୍ୟ ଓ ତାଙ୍କର କିଛି ଗୁଣ୍ଡା ତାଙ୍କୁ ମାଡ ମାରିବା ସହ ତାଙ୍କ ଗାଡି ଭଙ୍ଗାରୁଜା କରିଥିଲେ । କେବଳ ସେତିକି ନୁହେଁ ସେ କଂଗ୍ରେସ ବିଧାୟକ ମଧ୍ୟ ଜାତିଗତ ଭେଦଭାବର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ସେ ଜଣେ ଆଦିବାସୀ ସମ୍ପ୍ରଦାୟରୁ ହୋଇଥିବା କାରଣରୁ ତାଙ୍କୁ ସଭାସ୍ଥଳକୁ ଛଡା ନଯିବା ସହ ମାଡ ମାରି ଉକ୍ତ ସ୍ଥାନରୁ ଘଉଡାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ଘଟଣା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ କଂଗ୍ରେସ ସମର୍ଥକମାନେ ମଧ୍ୟ ଘଟଣାସ୍ଥଳରେ ଜମା ହୋଇଥିଲେ । ରାଜ୍ୟରେ ଶାସନରେ ଥିବା ବିଜେପି ବିରୋଧରେ ନାରାବାଜି କରିବା ସହ ଧାରଣାରେ ମଧ୍ୟ ବସିଥିଲେ କଂଗ୍ରେସ କର୍ମୀ । ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ତେବେ ଆଜି ମଧ୍ୟ କିଛି ସ୍ଥାନରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ସମ୍ପୃକ୍ତ ଜିଲ୍ଲା ପଞ୍ଚାୟତ ମୁଖ୍ୟ ତାଙ୍କ ସହଯୋଗୀଙ୍କୁ ଗିରଫ କରାନଯିବା ଯାଏ ସେମାନେ ପ୍ରତିବାଦ କରିବେ ବୋଲି ଦଳ କହିଛି ।

Related Posts